ଇରାନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ, ଟାର୍ଗେଟ କିନ୍ତୁ ଭାରତ

ନୂଆଦିଲ୍ଲୀ : ଇରାନର ବନ୍ଦର ନଗରୀ ଚାବାହାରରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପଛରେ ପାକିସ୍ତାନୀ ମୌଳବାଦୀ ସଂଗଠନ ଅନସାର-ଅଲ-ଫରଗାନର ହାତ ଥିବା କୁହାଯାଉଛି । ଏହି ସଂଗଠନ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମୁହମ୍ମଦର ଏକ ସହଯୋଗୀ ସଂଗଠନ ବୋଲି କୁହାଯାଉଛି । ଏହି ଆକ୍ରମଣରେ ଜଣେ ପୁଲିସ କର୍ମୀ ନିହତ ହେବା ସହ ୩୦ ଜଣ ଆହତ ହୋଇଛନ୍ତି । ଇରାନ ପୁଲିସ ସୁତ୍ରରୁ ପ୍ରକାଶ ଯେ ଚାବାହାରରେ ଥିବା ପୁଲିସ କାର୍ଯ୍ୟାଳୟ ନିକଟରେ ଏହି ଆକ୍ରମଣ ହୋଇଥିଲା । ଏକ ଟୟୋଟା ଭ୍ୟାନରେ ବିସ୍ଫୋରକ ରଖି ଉଡାଇଦିଆଯାଇଥିଲା ।

ତେବେ ଏହି ଆକ୍ରମଣଟି ଇରାନରେ ହୋଇଥିଲେ ମଧ୍ୟ ଟାର୍ଗେଟ ଭାରତ ଥିଲା ବୋଲି କୁହାଯାଉଛି । କାରଣ ଚାବାହାର ବନ୍ଦର ଭାରତ ସରକାର ହିଁ ନିର୍ମାଣ କରୁଛନ୍ତି । ଏହାକୁ ଭାରତ-ଇରାନ-ଆଫଗାନିସ୍ତାନ ମୈତ୍ରୀ ଓ ରଣନୈତିକ ସହଯୋଗିତାର ଏକ ଅଂଶ ବୋଲି କୁହାଯାଉଛି । କାରଣ ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଏହି କାରଣରୁ ଭାରତ ସରକାର ତୁରନ୍ତ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ମୃତାହତ ବ୍ୟକ୍ତିମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଭାରତ ସରକାର ।

ସମ୍ବନ୍ଧିତ ଖବର