ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା: କେରଳ ତଟରେ ୧୫ ଆଇଏସ୍‌ ଆତଙ୍କବାଦୀ

ଥିରୁଭନନ୍ତପୁରମ: ଶ୍ରୀଲଙ୍କାରୁ ୧୫ ଜଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଲାକ୍ଷାଦ୍ବୀପ ଏବଂ ମିନିକୟ ଦ୍ୱୀପ ଆଡକୁ ଅଗ୍ରସର ହୋଇ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଗୁଇନ୍ଦା ସୂଚନା ମିଳିବା ପରେ କେରଳ ତଟରେ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ପୁଲିସର ସୂଚନା ମୁତାବକ, ଗୋଟିଏ ବୋଟ୍‌ରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ଅନ୍ୟୁନ ୧୫ ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ବାହାରିଛନ୍ତି। ଭାରତର ଲାକ୍ଷାଦ୍ବୀପ ଏବଂ ମିନିକୟ ଦ୍ୱୀପ ନିକଟ ଅଂଚଳରେ ସେମାନଙ୍କ ଗତିବିଧି ଲକ୍ଷ କରାଯାଇଥିବା ଗୁଇନ୍ଦା ସୂଚନା ମିଳିଛି। ଏହା ପରେ ତଟରକ୍ଷୀ ବାହିନୀ ତରଫରୁ ପେଟ୍ରୋଲିଙ୍ଗ୍‌ ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଉକ୍ତ ଅଂଚଳରେ ଥିବା ସମସ୍ତ ଷ୍ଟେସନ୍‌ ହାଉସ୍‌କୁ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ସତର୍କ କରିଦିଆଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାକ୍ରମେ ଭାରତୀୟ ତଟରକ୍ଷୀ ବାହନୀର ବିମାନ ଏବଂ ଜାହାଜଗୁଡିକୁ ଉକ୍ତ ଦୁଇଟି ଦ୍ୱୀପ ପାଖାପାଖି ଅଂଚଳରେ ନିୟୋଜିତ କରାଯାଇଛି। ଆତଙ୍କବାଦୀମାନେ ଭାରତକୁ ପ୍ରବେଶ କରିବାର ଉଦ୍ୟମକୁ ପ୍ରତିହତ କରିବା ପାଇଁ ତଟରକ୍ଷୀ ବାହିନୀକୁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଇଷ୍ଟର୍‌ ଦିନ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫୦ ଜଣ ନିହତ ହୋଇଥିଲେ ଏବଂ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ସହିତ ସମ୍ପୃକ୍ତ ନେସ୍‌ନାଲ୍‌ ଥୋହିଥ୍‌ ଜମାତ (ଏନ୍‌ଟିଜେ) ସମ୍ପୃକ୍ତ ଥିଲା। ଉକ୍ତ ଆକ୍ରମଣ ପୂର୍ବରୁ ଭାରତର ଗୁଇନ୍ଦା ବିଭିନ୍ନ ଗୀର୍ଜାଘରେ ଆତ୍ମଘାତୀ ଆକ୍ରମଣ ହେବାର ସମ୍ଭାବନ ରହିଥିବା ଶ୍ରୀଲଙ୍କାକୁ ସତର୍କ କରାଇଥିଲେ।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ)ର ଏକ ନିର୍ଦିଷ୍ଟ ତଥ୍ୟକୁ ଆଧାର କରି ଭାରତ ତରଫରୁ ଶ୍ରୀଲଙ୍କାକୁ ସମ୍ଭାବ୍ୟ ଆକ୍ରମଣ ବିଷୟରେ ଅବଗତ କରାଯାଇଥିଲାI ଇସ୍‌ଲାମିକ ଷ୍ଟେଟ୍‌ର କୋଏମ୍ବାଟୁର ମଡେଲ ଉପରେ ବିଶେଷ ଅନୁସନ୍ଧାନ ବେଳେ ଏନ୍‌ଆଇଏ ୨୦୧୮ ଡିସେମ୍ବରରେ ନେସ୍‌ନାଲ ଥୋହିଥ୍‌ ଜମାତ (ଏନ୍‌ଟିଜେ)ର ନେତା ମୌଲବୀ ଜ଼ହରନ ବିନ୍‌ ହସିମ୍‌ଙ୍କ ଭିଡିଓ ଜବତ କରିବା ପରେ ଏଭଳି ଆତ୍ମଘାତୀ ଆକ୍ରମଣ ବିଷୟରେ ତଥ୍ୟ ହାସଲ କରିଥିଲା। କୋଏମ୍ବାଟୁରର ହିନ୍ଦୁ ନେତାଙ୍କୁ ଆକ୍ରମଣ ଯୋଜନା କରୁଥିବା ଆଇଏସ୍‌ର ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳରୁ ଜବତ ହୋଇଥିବା ଉକ୍ତ ଭିଡିଓଗୁଡିକୁ ଏନ୍‌ଆଇଏ ବ୍ୟତୀତ ଭାରତର ଗୁଇନ୍ଦା ସଂସ୍ଥା (ଆର୍‌ଏଡବ୍ଲ୍ୟୁ) ମଧ୍ୟ ଯାଞ୍ଚ କରିଥିଲା। ସେତେବେଳେ ଭାରତର ଗୁଇନ୍ଦା ସୂଚନା ସଠିକ ଥିବାରୁ, ଏବେ ଏହି ଆଇଏସ୍‌ ଆତଙ୍କବାଦୀଙ୍କ ଗତିବିଧିକୁ ଅତି ଗୁରୁତ୍ତର ସହ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର