ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ଯବାନ ସହିଦ, ଜଣେ ମୃତ

ଶ୍ରୀନଗର :ଜମ୍ମୁ କଶ୍ମୀର ପୁଲଓ୍ଵାମା ଜିଲ୍ଲାରେ ଏକ ସେନା ଶିବିର ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପବିତ୍ର ରମଜାନ୍‌ ମାସ ପାଇଁ କେନ୍ଦ୍ର ସରକାର କଶ୍ମୀରରେ ଏକତରଫା ଅସ୍ତ୍ରବିରତି ଘୋଷଣା କରିବାପରେ ସେନା ଉପରେ ପ୍ରଥମ ଥରପାଇଁ ଏଭଳି ବଡ଼ ଧରଣର ଆକ୍ରମଣ ହୋଇଛି। ଜମ୍ମୁ କଶ୍ମୀର ପୁଲଓ୍ଵାମା ଜିଲ୍ଲାର କାକ୍‌ପୁରା ଅଞ୍ଚଳ ସ୍ଥିତ ସେନା ଶିବିର ଉପରେ ଗତକାଲି ରାତି ପ୍ରାୟ ୧୦.୧୫ ସମୟରେ ଆତଙ୍କବାଦୀ ମାନେ ପ୍ରଥମେ ଗ୍ରେନେଡ୍‌ ମାଡ଼ କରିଥିଲେ ଏବଂ ପରେ ଶିବିର ଆଡ଼କୁ ଗୁଳି ଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ତେବେ ଉଭୟ ପକ୍ଷର ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ ସେନାଦ୍ୱାରା ପାଲଟା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୂଚନାନୁଯାୟୀ କଶ୍ମୀରରେ ରମଜାନ୍‌ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ପାକିସ୍ତାନ ମେ’ ୧୬ରୁ ୨୩ ତାରିଖ ମଧ୍ୟରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ସମୟ ମଧ୍ୟରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୯ ସୁରକ୍ଷାକର୍ମୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଆଜି ଜମ୍ମୁ କଶ୍ମୀର ସୋପିଆନ୍‌ ଜିଲ୍ଲାରେ ଏକ ସେନା ଗାଡ଼ିକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ କରିଥିବା ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର