ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ : ମେଜରଙ୍କ ସମେତ ୪ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀର ଗୁରେଜ୍‌ ସେକ୍ଟରରେ ଆଜି ଆତଙ୍କବାଦୀଙ୍କ ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି। କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଉତ୍ତର କଶ୍ମୀର ବାନ୍ଦିପୁରା ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ହୋଇଥିବା ଏହି ଗୁଳିକାଣ୍ଡରେ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ଏବଂ ୬ ଜଣ ଆତଙ୍କବାଦୀ ଛତ୍ରଭଂଗ ଦେଇ ପଳାଇଛନ୍ତି। ସୂଚନାନୁଯାୟୀ, ବାନ୍ଦିପୁରା ଜିଲ୍ଲା ଗୁରେଜ୍‌ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ କିଛି ପାକିସ୍ତାନୀ ଆତଙ୍କବାଦୀ ଗତ ରାତିରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। କିନ୍ତୁ ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କ ଗତିବିଧି ଚିହ୍ନଟ କରାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରାଯାଇଥିଲା। ଆତଙ୍କବାଦୀମାନେ ମଧ୍ୟ ପ୍ରବଳ ଗୁଳିମାଡ଼ କରିଥିଲେ। ଉଭୟ ପକ୍ଷର ଘମାଘୋଟ ଗୁଳିବର୍ଷାରେ ଜଣେ ମେଜର ଓ ଅନ୍ୟ ୩ ଜଣ ଯବାନ ସହିଦ ହୋଇ ଯାଇଛନ୍ତି।
ସହିଦ ଯବାନମାନେ ସେନାର ୩୬ ରାଷ୍ଟ୍ରୀୟ ରାଇଫଲ୍ସ ସଦସ୍ୟ। ସେମାନେ ମେଜର କୌସ୍ତୁଭ ପ୍ରକାଶ କୁମାର ରାଣେ, ହାବିଲଦାର ଜାମି ସିଂହ, ବିକ୍ରମଜିତ ଏବଂ ରାଇଫଲମ୍ୟାନ୍‌ ମନ୍‌ଦୀପ ବୋଲି ଚିହ୍ନଟ କରାଯାଇଛି। ପ୍ରାରମ୍ଭିକ ସୂଚନାରୁ ଜଣାଯାଇଛି ଯେ ପାଖାପାଖି ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ଆଜି ଅନୁପ୍ରବେଶ ଉଦ୍ୟମ କରୁଥିଲେ।

ସମ୍ବନ୍ଧିତ ଖବର