କରୋନା କବଳରେ ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ, ମୃତ୍ୟୁମୁଖରେ ପଡ଼ିପାରନ୍ତି ଅନେକ ଆତଙ୍କବାଦୀ

ଶ୍ରୀନଗର : ସମଗ୍ର ବିଶ୍ୱରେ ଆତଙ୍କ ଖେଳାଉଥିବା ଆତଙ୍କବାଦୀମାନେ ଏବେ ଆତଙ୍କରେ ରହିଛନ୍ତି । କାରଣ ପାକ-ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକରେ ଏବେ କରୋନା ଭାଇରସ ବ୍ୟାପିଯାଇଛି । ଏହାକୁ ନେଇ ଆତଙ୍କବାଦୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି ଓ କେତେକ ମୃତ୍ୟୁମୁଖରେ ମଧ୍ୟ ପଡ଼ିଛନ୍ତି । ଏ ସଂପର୍କରେ ଏକ ଟେଲିଫେନ ଇଣ୍ଟରସେପ୍ଟ କରି ଜମ୍ମୁ ଓ କଶ୍ମୀର ପୁଲିସ ଜାଣିପାରିଛି ।

ପିଓକେ କ୍ୟାମ୍ପରେ ଥିବା ଜଣେ ଆତଙ୍କବାଦୀ କଶ୍ମୀର ଘାଟିରେ ଥିବା ନିଜର ପରିବାରକୁ ଫୋନ କରି ଏସଂପର୍କରେ କହୁଥିବାବେଳେ ତାହାକୁ ପୁଲିସ ଶୁଣିପାରିଛି ବୋଲି ରାଜ୍ୟର ଡିଜିପି ଜିଲବାଗ ସିଂ କହିଛନ୍ତି । ସଂପୃକ୍ତ ଆତଙ୍କବାଦୀ ଆହୁରି ମଧ୍ୟ କହିଛି ଯେ କରୋନାରେ ପୀଡ଼ିତ ହୋଇ କେତେକ ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି । ତଥାପି ପାକିସ୍ତାନ ସରକାର ତାଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଛି ।

ମିଳିଥିବା ଗୁଇନ୍ଦା ସୁଚନା ଅନୁସାରେ ପାକିସ୍ତାନ ସେନା ପାକ-ଅଧିକୃତ କଶ୍ମୀରରେ ଅଧିକ ସଂଖ୍ୟକ କ୍ୱାରାଣ୍ଟାଇନ ସେଣ୍ଟର ଖୋଲି ଅନ୍ୟ ଅଞ୍ଚଳରୁ ଆସିଥିବା ରୋଗୀମାନଙ୍କୁ ରଖୁଛି । ଏହାକୁ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରୁଛନ୍ତି । ଏପରିକି ଉକ୍ତ ଅଞ୍ଚଳରେ ଥିବା ଆତଙ୍କବାଦୀ କ୍ୟାମ୍ପରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି ।
ତେବେ ଏହି ସଂକ୍ରମିତ ଆତଙ୍କବାଦୀଙ୍କ ଚିକିତ୍ସା କରିବା ବଦଳରେ ସେମାନଙ୍କୁ ଭାରତକୁ ପଠାଇବାକୁ ପାକିସ୍ତାନ ଯୋଜନା କରୁଛି ବୋଲି ଜଣାପଡ଼ିଛି । ଏହି ରିପୋର୍ଟ ମିଳିବା ପରେ ସତର୍କ ହୋଇଉଠିଛି ଭାରତୀୟ ସେନା । କରୋନା ସଂକ୍ରମିତ ଆତଙ୍କବାଦୀମାନଙ୍କ ମୁକାବିଲା ବେଳେ କେତେକ ସ୍ୱତନ୍ତ୍ର ନିୟମ ପାଳନ କରିବାକୁ ଯବାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର