କଶ୍ମୀରରେ ବଦଳୁଛି ଆତଙ୍କବାଦୀଙ୍କ ରଣନୀତି, ଯବାନ ପରେ ଏବେ ଟାର୍ଗେଟ୍‌ରେ ଯୁବକ

ସୋପିଆନ୍‌ରେ ଆଉ ଜଣଙ୍କୁ ଅପହରଣ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏବେ ଆତଙ୍କବାଦୀମାନେ ସେମାନଙ୍କ ରଣନୀତି ବଦଳାଇଛନ୍ତି। କିଛିଦିନ ତଳେ ଜଣକ ପରେ ଜଣେ ପୁଲିସ କର୍ମୀଙ୍କୁ ଅପହରଣ କରି ହତ୍ୟା କରୁଥିବା ଆତଙ୍କବାଦୀମାନେ ଏବେ କଶ୍ମୀରର ଯୁବଗୋଷ୍ଠୀକୁ ଟାର୍ଗେଟ୍‌ କରିଛନ୍ତି। ସାଧାରଣରେ ଆତଙ୍କର ବାତାବରଣକୁ କାଏମ ରଖିବା ପାଇଁ ସେମାନେ ଜଣେ ପରେ ଜଣେ ଯୁବକଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଅପହରଣ କରି ହତ୍ୟା କରୁଛନ୍ତି। ସୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଏହି ବର୍ବର କାଣ୍ଡ ଯୋଗୁଁ ନିରୀହ ଯୁବକମାନେ ଘରୁ ବାହାରିବାକୁ ଡରୁଛନ୍ତି। ବିଗତ ୩ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ ଜଣ ଯୁବକଙ୍କୁ ଅପହରଣ କରିନେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ପୁଣି ଜଣେ ଯୁବକଙ୍କୁ ଅପହରଣ କରାଯିବାରୁ ସ୍ଥିତି ଅଣାୟତ୍ତ ହୋଇଉଠିଛି। ସେନାର ତଲାସି ଅଭିଯାନ ମଧ୍ୟ ବ୍ୟାପକ ହୋଇଛି।  ଏଯାବତ୍‌ ଅପହୃତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ଶୁକ୍ରବାର ପୁଲ୍‌ୱାମାର ନିକଲୋରା ଅଞ୍ଚଳରୁ  ନଦିମ ମଞ୍ଜୁର ନାମକ ଜଣେ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଏହି କାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା।  ପୁଲିସ୍‌ ଇନ୍‌ଫର୍ମରମାନଙ୍କୁ ଖୋଜି ଖୋଜି ହତ୍ୟା କରିବା ପାଇଁ ଯୋଜନା କରାଯାଇଛି ବୋଲି ଜଣେ ହିଜ୍‌ବୁଲ କମାଣ୍ଡର ଅଡିଓ ବାର୍ତ୍ତା ଜାରି କରି କହିଛି। ଏହାକୁ ନେଇ ସୋପିଆନ୍‌ ଜିଲ୍ଲାର ବିଭିନ୍ନ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆତଙ୍କବାଦୀମାନେ ଯୁବକମାନଙ୍କ ଗଳାକାଟି ହତ୍ୟା କରୁଥିବାରୁ ଏଭଳି ବର୍ବରତା ସେମାନଙ୍କ ହତାଶାର ପରିଚୟ ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ପୁଲିସ-ସିଆର୍‌ପିଏଫ୍‌-ସେନାର ମିଳିତ ଅଭିଯାନ ଯୋଗୁଁ ଲସ୍କର, ଜୈଶ ଏବଂ ହିଜ୍‌ବୁଲର ୯ ଜଣ କମାଣ୍ଡର ବିଗତ ବର୍ଷକ ମଧ୍ୟରେ  ନିପାତ ହୋଇଛନ୍ତି ଏବଂ ଅପରେସନ ଅଲ୍‌ ଆଉଟ୍‌ରେ ମଧ୍ୟ  ପ୍ରାୟ ୪ ଶହ ଆତଙ୍କବାଦୀ ମୂଳପୋଛ ହୋଇଯାଇଛନ୍ତି। ଆତଙ୍କବାଦୀ ସଂଗଠନରେ ନୂତନ ନିଯୁକ୍ତି ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ କମିଛି। ଏଭଳି ସ୍ଥିତିରେ ଯୁବଗୋଷ୍ଠୀ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଅପହରଣ ଓ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି।

କଶ୍ମୀରୀ ମହିଳା ଗିରଫ

ସୋସିଆଲ ମିଡିଆରେ ଯୁବକଙ୍କୁ  ଫସାଇ ଆତଙ୍କବାଦୀ ତିଆରି କରୁଥିଲେ

ଶ୍ରୀନଗର:  ଜମ୍ମୁ କଶ୍ମୀରରେ ଯୁବକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦ ପ୍ରତି ଆକୃଷ୍ଟ କରୁଥିବା ଏବଂ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ଯୋଗସୂତ୍ର କରାଉଥିବା ଜଣେ କଶ୍ମୀରୀ ମହିଳାଙ୍କୁ ଆଜି ସୁରକ୍ଷା ବାହିନୀ ଗିରଫ କରିଛି। ଜୈଶ ଏ ମହମ୍ମଦ ସଂଗଠନ ପାଇଁ ଏହି ମହିଳା କାମ କରୁଥିବା ପୁଲିସ ସନ୍ଦେହ କରୁଛି। ବାନ୍ଦିପୋରା  ଅଂଚଳରେ ରହୁଥିବା ଏହି ମହିଳା ସାଜିୟା ନାମରେ ପରିଚିତ ଏବଂ କଶ୍ମୀରର ପ୍ରାୟ ୨ ଶହ ଯୁବକଙ୍କୁ ସେ ଫେସ୍‌ବୁକ୍‌ ବନ୍ଧୁ କରି ଆତଙ୍କବାଦୀ ସଂଗଠନରେ ସାମିଲ କରାଇବାକୁ ପ୍ରୟାସ ଚଳାଇଥିଲା।  ଏହି ମହିଳା ମାଧ୍ୟମରେ ଅନନ୍ତନାଗରେ କେତେକ ଯୁବକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ହାସଲ କରିଥିବା ଜଣାପଡ଼ିଛି। ପାକିସ୍ତାନରୁ ଆସିଥିବା କେତେକ ଆତଙ୍କବାଦୀ ମଧ୍ୟ ଏହି ମହିଳା  ସହ ସଂପର୍କ ସ୍ଥାପନ କରିଥିବା ଜେରାରୁ ଜଣାପଡ଼ିବା ପରେ ବାନ୍ଦିପୋରା ଅଂଚଳରେ ତଲାସୀ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର