ସେନା କ୍ୟାମ୍ପ ଓ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର : ଆଜି ରାତିରେ ଜମ୍ମୁ କଶ୍ମୀରର ବାନ୍ଦିପୋରା ଜିଲ୍ଲାର ହଜିନ୍‌ ସ୍ଥିତ ସେନା କ୍ୟାମ୍ପ ଓ ଥାନାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସେନା କ୍ୟାମ୍ପ ଓ ଥାନା ଉପରକୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ୪ରୁ ୬ ଜଣ ଆତଙ୍କବାଦୀ ୧୩ ରାଷ୍ଟ୍ରୀୟ ରାଇଫଲ ସେନା କ୍ୟାମ୍ପ ଓ ହାଜିନ ଥାନାର ଦୁଇ ପଟୁ ଆସିଥିଲେ। ଉଭୟ ସେନା କ୍ୟାମ୍ପ ଓ ଥାନା ଉପରକୁ ସେମାନେ ପ୍ରାୟ ୮ଟି ଗ୍ରେନେଡ ଫିଙ୍ଗିଥିଲେ। ସେନା ପକ୍ଷରୁ ମଧ୍ୟ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି। ଫଳରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳିଗୋଳା ବିନିମୟ ହୋଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଛି ଏବଂ କମ୍ବିଂ ଅପରେସନ ଜାରି ରହିଛି। ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ବାରାମୁଲା ଜିଲ୍ଲା ସୋପୋର ଅଞ୍ଚଳର ୟେମ୍ବରଜାଲ୍‌ ଓ୍ଵାରିଠାରେ ଆଇଇଡି ବିସ୍ଫୋରଣରେ ସେନାର ଏକ ଗାଡ଼ିକୁ ଆକ୍ରମଣ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଗାଡ଼ିଟି ଭାଙ୍ଗିରୁଜି ଯାଇଛି।

ସମ୍ବନ୍ଧିତ ଖବର