ପାକିସ୍ତାନକୁ ୟୁରୋପୀୟ ସଂଘର ଝଟ୍‌କା, ଆତଙ୍କବାଦୀ ଚନ୍ଦ୍ରରୁ ଆସୁନାହାନ୍ତି

ନୂଆଦିଲ୍ଲୀ : ପାକିସ୍ତାନକୁ ଆଜି ପୁଣି ଏକ ଶକ୍ତ ଝଟ୍‌କା ଲାଗିଛି। ୟୁ‌ରୋପୀୟ ସଂଘର ସାଂସଦମାନେ ଆଜି ପାକିସ୍ତାନକୁ କହିଛନ୍ତି, ଆତଙ୍କବାଦୀ ଚନ୍ଦ୍ରରୁ ଆସୁନାହାନ୍ତି। ଆତଙ୍କବାଦକୁ ପାକିସ୍ତାନ ହିଁ ପ୍ରୋତ୍ସାହିତ କରୁଛି ଏବଂ ଏହା ଆତଙ୍କବାଦୀଙ୍କୁ ସୁରକ୍ଷା ‌ଯୋଗାଉଛି। ଭାରତରେ ମଧ୍ୟ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇ ସେମାନଙ୍କୁ ପ୍ରୋତ୍ସାହିତ କରୁଛି ପାକିସ୍ତାନ। ଏଲ୍‌ଓସି ନିକଟରେ ଆତଙ୍କବାଦୀଙ୍କୁ ଭାରତ ଅନୁପ୍ରବେଶ କରିବାପାଇଁ ପାକିସ୍ତାନ ସମସ୍ତ ପ୍ରକାର ସହଯୋଗ କରୁଛି। କଶ୍ମୀର ସ୍ଥିତି ସଂକ୍ରାନ୍ତରେ ଏକ ଅଧିବେଶନରେ ଆଲୋଚନା ଚାଲିଥିବା ବେଳେ ୟୁରୋପୀୟ ସଂଘ ସାଂସଦମାନେ ଏଭଳି ମତ ରଖିଛନ୍ତି। ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ୟୁରୋପୀୟ ସଂଘ ଭାରତର ସାର୍ବଭୌମତ୍ବକୁ ସମ୍ମାନ ଦେଇ କାର୍ଯ୍ୟ କରିବ ବୋଲି କୁହାଯାଇଛି। ପାକିସ୍ତାନ ଜମ୍ମୁ କଶ୍ମୀରର ଏକ ଅଂଶକୁ ବେଆଇନ ଭାବେ ଅକ୍ତିଆର କରିଛି ବୋଲି ୟୁରୋପୀୟ ସଂଘ ସାଂସଦମାନେ କହିଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଥିବା ବିବାଦ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସେମାନେ କହିଛନ୍ତି। ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ୟୁରୋପୀୟ ସଂଘ ସାଂସଦ ଗୁରୁତ୍ବାରୋପ କରିଛନ୍ତି। ପାକିସ୍ତାନ ପାଇଁ ଏହା ଆଉ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର