ଥାଇ ଗୁମ୍ଫା ଉଦ୍ଧାର କାର୍ଯ୍ୟ: ଅକ୍ସିଜେନ୍‌ ଟ୍ୟାଙ୍କ୍‌ ନେଇ ଯାଇଥିବା ବୁଡ଼ାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌ର ଏକ ଗୁମ୍ଫାରେ ଗୋଟିଏ ପକ୍ଷ ହେବ ଅଟକି ରହିଥିବା ୧୨ ଜଣ ବାଳକ ଏବଂ ସେମାନଙ୍କର ଫୁଟ୍‌ବଲ୍‌ କୋଚ୍‌ଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ କର୍ମୀଙ୍କର ମୃତ୍ୟୁ ଘଟିଛି।

ମୃତ ଉଦ୍ଧାରକାରୀ କର୍ମୀ ଜଣକ ହେଉଛନ୍ତି ପୂର୍ବତନ ଥାଇ ନେଭିର ସିଲ୍‌। ଅମ୍ଳଜାନ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ସିଲ୍‌ କମାଣ୍ଡର୍‌ ଆରପାକୋରନ୍‌ ୟୁକୋଙ୍ଗ୍‌କାୟୁ ଶୁକ୍ରବାର ସକାଳେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ ଉଦ୍ଧାରକାରୀ ଜଣକ ଏକ ସ୍ୱେଚ୍ଛାସେବୀ ଦଳରେ କାମ କରୁଥିଲେ। ଗତ ରାତିରେ ଅକ୍ସିଜେନ୍‌ ଟାଙ୍କି ନେଇ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ଜୁନ୍‌ ୨୩ ତାରିଖରୁ ୧୨ ଜଣ ବାଳକ ଓ ତାଙ୍କ ତାଲିମ୍‌ଦାତା ଅଟକି ରହିଥିବା ବନ୍ୟା ପ୍ଳାବିତ ଗୁମ୍ଫାରୁ ପମ୍ପ୍‌ ଯୋଗେ ପାଣି ବାହାର କରିବାକୁ ଥାଇ କର୍ତ୍ତୃପକ୍ଷ ଜୋର୍‌ଦାର୍‌ ଉଦ୍ୟମ ଚଳାଇଛନ୍ତି।

ଉତ୍ତରାର୍ଦ୍ଧ ପ୍ରଦେଶରେ ଜୁନ୍‌ ୨୩ ତାରିଖ ଦିନ ଗୋଟାଏ ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳି ସାରିବା ପରେ ୧୧ ରୁ ୧୬ ବର୍ଷ ବୟସ ମଧ୍ୟର ବାଳକ ଏବଂ ତାଙ୍କର ୨୫ ବର୍ଷିୟ ତାଲିମଦାତା ‘ଥାମ୍‌ ଲୁଆଙ୍ଗ୍‌ ନାଙ୍ଗ୍‌ ନନ୍‌’ ଗୁହା ଅନେ୍ଵଷଣରେ ଯାଇଥିଲେ। ମୌସୁମି ବର୍ଷା ଜନିତ ବନ୍ୟା ଯୋଗୁଁ ସେମାନେ ଗୁମ୍ଫାରୁ ବାହାରି ପାରି ନାହାନ୍ତି। ଉଦ୍ଧାରକାରୀମାନେ ମଧ୍ୟ ୧୦ ଦିନ ଧରି ତାଙ୍କୁ ଖୋଜି ପାଉ ନ ଥିଲେ।

ସେ ପିଲାମାନେ ଦୁବୁଲା ପତଲା ହେଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର