ଉଦ୍ଧାର ବେଳେ ଟ୍ରାଙ୍କୁଲାଇଜର ଦିଆଯାଉଥିଲା

ଗୁମ୍ଫାରେ ଓଜନ କମିଯାଇଛି, ସମ୍ପୂର୍ଣ୍ଣ ସୁସ୍ଥ ପାଇଁ ମାସେ ଲାଗିବ

ଚିଆଙ୍ଗ ରାଇ: ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ କାଳ ଗୁମ୍ଫାରେ ଦୀର୍ଘ ୧୮ ଦିନର ସଂଘର୍ଷ ପରେ ୧୨ ଜଣ ଫୁଟ୍‌ବଲ ଖେଳାଳି ଉଦ୍ଧାର ହୋଇଛନ୍ତି। ଗୁମ୍ଫାରୁ ଫୁଟ୍‌ବଲ୍‌ ଖେଳାଳିଙ୍କୁ ବାହାର କରିବା ପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ଅଭିନବ ଉପାୟ ଅବଲମ୍ବନ କରାଯାଇଥିଲା। ପ୍ରଥମେ ସେମାନଙ୍କୁ ଟ୍ରାଙ୍କୁଲାଇଜର ଦିଆଯାଉଥିଲା। ଫଳରେ ସେମାନେ ଗଭୀର ନିଦ୍ରାରେ ଶୋଇଯିବା ପରେ ମୁହଁରେ ଅମ୍ଳଜାନ ଥଳି ଲଗାଯାଇ ସେମାନଙ୍କୁ ଷ୍ଟ୍ରେଚରରେ ଗୁଡ଼ାଇ ଦିଆଯାଉଥିଲା। ନିୟମିତ ବ୍ୟବଧାନରେ ଉଦ୍ଧାରକାରୀ ଟିମ୍‌ରେ ଥିବା ଡାକ୍ତର ପିଲାମାନଙ୍କର ପରୀକ୍ଷା କରୁଥିଲେ। ଏଭଳି ଉପାୟ ଅବଲମ୍ବନ କରାଯାଇ ନ ଥିଲେ, ଗୁମ୍ଫାର ସଂକୀର୍ଣ୍ଣ ପଥ ଏବଂ ଗଭୀର ଜଳ ମଧ୍ୟରେ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥାନ୍ତା ବୋଲି କମାଣ୍ଡର ଚୈୟାନନ୍ତ ପୀରାନାରୋଙ୍ଗ୍‌ କହିଛନ୍ତି। ସେ କହିଛନ୍ତି, ସେମାନଙ୍କୁ ସ୍ଥାନାନ୍ତର କରିବା ମୋର କାର୍ଯ୍ୟ ଥିଲା। କିନ୍ତୁ ଡାକ୍ତରମାନେ ଅନ୍ଧାରୀ ଗୁମ୍ଫାରେ ରୀତିମତ ପିଲାମାନଙ୍କର ଯତ୍ନ ନେଉଥିଲେ। ଆଜି ହସ୍ପିଟାଲରେ ପିଲାମାନଙ୍କୁ ବାପା-ମା’ ଭେଟିଛନ୍ତି। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଆସିଥିବା ନିଜ ସନ୍ତାନଙ୍କୁ ପାଇ ପିତାମାତା ଖୁସିରେ କାନ୍ଦି ପକାଇଥିଲେ। ଏହି ଦୃଶ୍ୟ ଥାଇଲାଣ୍ଡର ଚିଆଙ୍ଗ ରାଇ ହସ୍ପିଟାଲ୍‌ରେ ଏକ ଆବେଗିକ ବାତାବରଣ ସୃଷ୍ଟି କରିଥିଲା। ସେଠାରେ ଏହାକୁ ଦେଖୁଥିବା ଲୋକମାନେ ବି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ଗତକାଲି ଡାକ୍ତରମାନେ ବାରଣ କରିବାରୁ କାଚଝରକା ମଧ୍ୟଦେଇ ପିତାମାତା ସେମାନଙ୍କ ପିଲାଙ୍କୁ ଦେଖିବାକୁ ସୁଯୋଗ ପାଇଥିଲେ।

ହଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ହେବ
ମେ ସାଇ: ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ଗୁମ୍ଫାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା। କେବଳ ଥାଇଲାଣ୍ଡ କାହିଁକି ଅନ୍ୟ ରାଷ୍ଟ୍ରର ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସୁଥିବା ଦେଖିବାକୁ ମିଳିଛି। ଏହି ଗୁମ୍ଫା ଭବିଷ୍ୟତରେ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ବନିପାରେ ଏବଂ ଏହାଦ୍ୱାରା ଥାଇ ସରକାରଙ୍କ ରାଜସ୍ୱ ବଢ଼ିପାରେ ବୋଲି କୁହାଯାଉଛି। ଇତିିମଧ୍ୟରେ ଆମେରିକାର ପିଓର୍‌ ଫ୍ଲିକ୍ସ ଫିଲ୍ମସର ମ୍ୟାନେଜିଂ ପାର୍ଟନର ମାଇକେଲ୍‌ ସ୍କଟ୍‌ ମଧ୍ୟ ଆସି ପହଞ୍ଚିଛନ୍ତି। ଗୁମ୍ଫା ଏବଂ ୧୮ ଦିନର ସଂଘର୍ଷକୁ ନେଇ ସେ ଏକ ହଲିଉଡ୍‌ ଫିଲ୍ମ ନିର୍ମାଣ କରିବେ ବୋଲି ସୂଚନା ମିଳିଛି।

ଥାଇ ଖେଳାଳିଙ୍କ ଉଦ୍ଧାରରେ ୨ ଭାରତୀୟଙ୍କ ହାତ
ପୁନେ: ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ଗୁମ୍ଫାରୁ ଦୀର୍ଘ ୧୮ ଦିନ ଫସିରହିବା ପରେ ସମସ୍ତଙ୍କୁ ଗତକାଲି ସୁଦ୍ଧା ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଗୁମ୍ଫା ବିଶେଷଜ୍ଞ ଓ ଅନ୍ୟମାନଙ୍କୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି। ତେବେ ଏହି ଫୁଟ୍‌ବଲ ଖେଳାଳି ଓ ସେମାନଙ୍କ କୋଚ୍‌ଙ୍କୁ ଉଦ୍ଧାର କରାଯିବାରେ ଦୁଇ ଭାରତୀୟଙ୍କ ହାତ ମଧ୍ୟ ରହିଛି। ସେମାନେ ହେଲେ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ପ୍ରସାଦ କୁଲକର୍ଣ୍ଣୀ ଓ ପୁନେର ଇଞ୍ଚିନିୟର ଶ୍ୟାମ ଶୁକ୍ଳା। ଏମାନେ କାଳ ଗୁମ୍ଫାରୁ ପାଣି ବାହାର କରିବାରେ ବିଶେଷ ସହାୟକ ହୋଇଥିଲେ। ଗୁମ୍ଫା ମଧ୍ୟରେ ବର୍ଷାଜଳ ପ୍ରବେଶ ଯୋଗୁ ଭିତରକୁ ପଶିବା ବାଟ ବନ୍ଦ ହୋଇଯାଇଥିଲା। ପାଣି ଶୀଘ୍ର ବାହାର କରିବା ଜରୁରୀ ହୋଇପଡ଼ିଥିଲା। ଏହି ସମୟରେ ଶକ୍ତିଶାଳୀ ପମ୍ପ୍‌ର ଆବଶ୍ୟକ ପଡ଼ିଥିଲା।

ସମ୍ବନ୍ଧିତ ଖବର