ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା:କଂଗ୍ରେସକୁ ପ୍ରହାର

କ୍ଷମତା ପାଇଁ ଦେଶର ଆତ୍ମାକୁ ଦଳି ଦେଇଥିଲା ବାଜପେୟୀ, ମନମୋହନଙ୍କୁ କେବେ ପ୍ରଶଂସା କରିନାହିଁ କଂଗ୍ରେସ କେବଳ ଗାନ୍ଧି ପରିବାରର ମହିମାମଣ୍ଡନରେ ସୀମିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଉଭୟ ଲୋକସଭା ଓ ଏବଂ ରାଜ୍ୟସଭାରେ ଆଜି ଆଲୋଚନା ଶେଷ ହେବା ସହ ବାଚନିକ ଭୋଟ୍‌ରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ତାଙ୍କ ବକ୍ତବ୍ୟ ରଖି କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ଦିଆଯିବା ସଂକ୍ରାନ୍ତ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଙ୍କ ଅବଦାନକୁ ଆମେ ଅଣଦେଖା କରିଛୁ ବୋଲି ଯେଉଁ ଅଭିଯୋଗ କଂଗ୍ରେସ କରୁଛି, ତାହାର ଏହା ହେଉଛି ଏକ କଡ଼ା ଜବାବ। ଗାନ୍ଧି ପରିବାର ବାହାର ଲୋକଙ୍କୁ କଂଗ୍ରେସ କେବେ ସମ୍ମାନ ଦେଇନଥାଏ। ପ୍ରଣବ ଦା’ଙ୍କ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କ୍ଷମତା ପାଇଁ ଯେଉଁମାନେ ଜରୁରୀ ସ୍ଥିତି ଲାଗୁ କରି ଦେଶର ଗଣତନ୍ତ୍ରକୁ ହତ୍ୟା କରିବାକୁ ପଛାଇ ନାହାନ୍ତି ସେମାନେ ଗୃହରେ ଗଣତନ୍ତ୍ରକୁ ନେଇ ସ୍ଲାଗାନ ଦେଉଛନ୍ତି। ୨୫ ଜୁନ୍‌ ୨୯୭୫ରେ ଦେଶରେ ଏମର୍ଜେନ୍ସି ଲାଗୁ କରି ଦେଶର ଆତ୍ମାକୁ ଦଳି ଦିଆଯାଇଥିଲା। କେବଳ କ୍ଷମତାରେ ରହିବା ପାଇଁ ଦେଶକୁ ଜେଲ୍‌ଖାନାରେ ପରିଣତ କରାଯାଇଥିଲା ବୋଲି ମୋଦୀ କହିଥିଲେ।
ଗଣତନ୍ତ୍ର ଦେଶର ଆତ୍ମାରେ ରହିଛି
ଭାରତର ଗଣତନ୍ତ୍ର କେବଳ ସମ୍ବିଧାନର ପୃଷ୍ଠାରୁ ଜନ୍ମ ହୋଇନାହିଁ, ଏହା ଯୁଗ ଯୁଗ ଧରି ଦେଶର ଆତ୍ମାରେ ରହିଛି। ଜରୁରୀ ପରିସ୍ଥିତି ଲାଗୁ କରି ଏହି ଆତ୍ମାକୁ ଆଘାତ କରାଯାଇଥିଲା। ଦେଶର ମହାପୁରୁଷମାନଙ୍କୁ ଜେଲ୍‌ରେ ବନ୍ଦୀ କରାଯିବା ସହ ନ୍ୟାୟପାଳିକାର ଆଦେଶକୁ ଅବମାନନା କରାଯାଇଥିଲା। ଏବେ ଆମେ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ସମର୍ପିତ ହୋଇ କାମ କରୁଛୁ। ଜରୁରୀ ପରିସ୍ଥିତିକୁ ସ୍ମରଣ କରିବା ଜରୁରୀ, କାରଣ ଆଉ କେହି ଜନ୍ମ ହୋଇ ଏହି ରାସ୍ତାରେ ଯିବାକୁ ଇଛା ନକରୁ। ଜରୁରୀ ପରିସ୍ଥିତି ସମୟରେ ମିଡିଆରେ ତାଲା ଲଗାଇ ଦିଆଯାଇଥିଲା। ତେବେ ସବୁ ପ୍ରତିବନ୍ଧକ ସତ୍ତ୍ବେ ଦେଶବାସୀ ଗଣତାନ୍ତ୍ରିକ ପରମ୍ପରାକୁ କାଏମ ରଖିଛନ୍ତି। ଚଳିତ ନିର୍ବାଚନରେ ଦେଶ ଜାତି, ଧର୍ମ ଓ ସଂପ୍ରଦାୟରୁ ଊର୍ଦ୍ଧ୍ବକୁ ଉଠି ମତଦାନ କରିଛି ।
ଯାହାର କେହି ନାହିଁ ତା’ ପାଇଁ ସରକାର ରହିଛି
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଗତ ୫ ବର୍ଷରେ ସରକାରଙ୍କ ଏହି ଭାବନା ରହିଥିଲା- ଯାହାର କେହି ନାହିଁ ତା’ ପାଇଁ ସରକାର ଅଛି। ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ସୁବିଧା ପହଞ୍ଚାଇବା ପାଇଁ ସରକାର ଅହରହ କାମ କରୁଛନ୍ତି ଏବଂ ଏହା ଜାରି ରହିବ। ଗରିବଙ୍କ କଲ୍ୟାଣ ସହ ଆଧୁନିକ ଭାରତକୁ ଆଗକୁ ବଢ଼ାଇବା ପାଇଁ ସରକାର ଦୃଢ଼ତାର ସହ ବଢ଼ୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ମାଟିରୁ ବିଚ୍ଛିନ୍ନ ହୋଇଯାଇଛି କଂଗ୍ରେସ
କଂଗ୍ରେସ ତା’ର ଅହଙ୍କାର ଏବଂ କ୍ଷମତାସର୍ବସ୍ବ ମାନସିକତାରେ ବହୁତ ଉପରକୁ ଉଠିଯିବାରୁ ଏବେ ମାଟିଠାରୁ ବିଚ୍ଛିନ୍ନ ରହିଛି। କଂଗ୍ରେସକୁ ଏବେ ମାଟି ଦେଖାଯାଉନାହିଁ। କଂଗ୍ରେସ ଆହୁରି ଉପରକୁ ଉଠିବା ଆମ ପାଇଁ ସନ୍ତୋଷର କାରଣ ହେବ ବୋଲି ମୋଦୀ କହିଥିଲେ। କଂଗ୍ରେସ ନେତାମାନେ ପୂର୍ବ ସରକାର କଥା କହିବା ବେଳେ ସଂସଦରେ କେବେ ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀ, କିମ୍ବା ମନମୋହନ ସିଂହଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିନାହିଁ। ତେବେ ପ୍ରଧାନମନ୍ତ୍ରୀ ଭାବେ ମୁଁ ଲାଲକିଲ୍ଲାରୁ ସମସ୍ତ ସରକାରଙ୍କ ଅବଦାନକୁ ଉଲ୍ଲେଖ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଗତକାଲି କହିଥିଲେ ଯେ ଯଦି କଂଗ୍ରେସ ସରକାର ଦୁର୍ନୀତିଗ୍ରସ୍ତ ଥିଲା, ତେବେ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଜେଲ୍‌ ହୋଇନାହିଁ କାହିଁକି । ଆଜି ପ୍ରଧାନମନ୍ତ୍ରୀ ଏହାର ଜବାବରେ କହିଥିଲେ, ଏବେ ଦେଶରେ କଂଗ୍ରେସର ଜରୁରୀ ପରିସ୍ଥିତି ଚାଲିନାହି, ସୁସ୍ଥ ଗଣତନ୍ତ୍ର ଚାଲିଛି। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେଉଁମାନେ ଜେଲ୍‌ରେ ରହିବେ ଏବଂ କେଉଁମାନେ ବେଲ୍‌ରେ ରହିବେ ତାହା ଅଦାଲତ ନିଷ୍ପତ୍ତି ନେଇଥାଏ।

ସମ୍ବନ୍ଧିତ ଖବର