ରହସ୍ୟ ଖୋଲିଲା, ପ୍ରେମିକା ହତ୍ୟାକୁ ଲୁଚାଇବାକୁ ୯ ଜଣଙ୍କୁ ହତ୍ୟା

ହାଇଦ୍ରାବାଦ୍‌: ତେଲେଙ୍ଗାନାର ୱାରଙ୍ଗଲ୍‌ରେ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଲିଛି। ସେମାନେ ଆତ୍ମହତ୍ୟା କରିନାହାନ୍ତି। ବରଂ ସେମାନଙ୍କୁ ହତ୍ୟା କରାଯାଇଛି। ବିହାରର ଜଣେ ୨୪ ବର୍ଷୀୟ ଯୁବକ ନିଜ ପ୍ରେମିକାର ହତ୍ୟାକୁ ଲୁଚାଇବାପାଇଁ ୯ ଜଣଙ୍କୁ ହତ୍ୟା କରିଛି। ଉକ୍ତ ଯୁବକର ନାମ ସଂଜୟ କୁମାର ଯାଦବ। ସେ ରଫିକା ନାମକ ଜଣେ ମହିଳା ସହ ଲିଭ୍‌-ଇନ୍‌ ସଂପର୍କରେ ରହୁଥିଲା। ଗତ ମାର୍ଚ୍ଚ ୬ ତାରିଖରୁ ସେ ତା’ ପ୍ରେମିକା ରଫିକାକୁ ହତ୍ୟା କରିଥିଲା। ତେବେ ନିଜ ପ୍ରେମିକାର ହତ୍ୟା ଘଟଣାକୁ ଲୁଚାଇବା ପାଇଁ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ବୋଲି ପୁଲିସ କହିଛି। ୱାରଙ୍ଗଲ୍‌ ପୁଲିସ କମିସନର ଭି ରବିନ୍ଦ୍ର କହିଛନ୍ତି, ସଂଜୟ ଏକାକୀ ଏହି ହତ୍ୟା ଯୋଜନା କରିଥିଲା। ସମସ୍ତଙ୍କୁ ସେ ଖାଦ୍ୟରେ ନିଦ ଔଷଧ ଦେଇଥିଲା। ପ୍ରାୟ ୬୦ଟି ନିଦ ଔଷଧ ସେ ସେମାନଙ୍କ ଖାଦ୍ୟରେ ମିଶାଇଥିଲା। ଏହି ଖାଦ୍ୟ ଖାଇବାପରେ ସମସ୍ତେ ଅଚେତ ହୋଇପଡ଼ିଥିଲେ ଏବଂ ସଂଜୟ ଜଣଙ୍କ ପରେ ଜଣେ ସମସ୍ତଙ୍କୁ ନେଇ କୂଅରେ ପକାଇଥିଲା। ମୃତକମାନଙ୍କ ମଧ୍ୟ‌ରେ ୬ ଜଣ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକ। ୨ ଜଣ ବିହାରର ଏବଂ ଜଣେ ତ୍ରିପୁରାର। ତେବେ ରଫିକା ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ସଂଜୟକୁ ଗିରଫ କରିଛି । ସଂଜୟକୁ ଜେରା କରିବା ପରେ ସେ ସବୁ ସତ ମାନିଯାଇଛି। ଗତ ୬ ବର୍ଷ ଧରି ସଂଜୟ ୱାରଙ୍ଗଲରେ ରହୁଥିଲା। ସେ ରଫିକା ସହ ଲିଭ୍‌-ଇନ୍‌ରେ ଥିଲା। ତେବେ ରଫିକାର ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସଂଜୟ ରଫିକାକୁ ପଶ୍ଚିମବଙ୍ଗ ନେଇ ଯାଇଥିଲା। କିନ୍ତୁ ୱାରଙ୍ଗଲ୍‌କୁ ଫେରିବା ବାଟରେ ସଂଜୟ ତାକୁ କ୍ଷୀରରେ ନିଶା ଦେଇଥିଲା। ପରେ ରଫିକାର ତଣ୍ଟି ଚିପି ସେ ଆନ୍ଧ୍ରପ୍ରଦେଶ ନିକଟରେ ଟ୍ରେନ୍‌ ବାହାରକୁ ଫୋପାଡ଼ି ଦେଇଥିଲା।

ମାର୍ଚ୍ଚ ୬ ତାରିଖରେ ସଂଜୟ ଏହି କାଣ୍ଡ ଘଟାଇଥିଲା। ସେ ସମୟରେ ତାଡେପଲ୍ଲିଗୁଡ଼ମ ରେଳବାଇ ପୁଲିସ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ଘଟଣା ନେଇ ମାମଲା ରୁଜୁ କରିଥିଲା। ତେବେ ପୁଲିସ ସୂଚନାନୁଯାୟୀ ରଫିକା ବିବାହିତା ଥିଲା। ରଫିକା ତା’ ଝିଅମାନଙ୍କ ସହ ଅତି ନିକଟତର ହୋଇଥିବା ଜାଣିବାପରେ ସଂଜୟ ତାଙ୍କୁ ହତ୍ୟା‌ କରିଥିଲା। ତେବେ ସଂଜୟ ୱାରଙ୍ଗାଲ୍‌ ଫେରିବା ପରେ ରଫିକାଙ୍କ ଅନୁପସ୍ଥିତି ନେଇ ତାଙ୍କ ସମ୍ପର୍କୀୟ ତଥା ହତ୍ୟାର ଶିକାର ହୋଇଥିବା ମକସୁଦ୍‌ ଆଲମ୍‌ଙ୍କ ପତ୍ନୀ ନିଶା ପ୍ରଶ୍ନ କରିଥିଲେ। ବାରମ୍ବାର ରଫିକାଙ୍କ ବିଷୟରେ ପଚାରିବାରୁ ସଂଜୟ ଅତିଷ୍ଠ ହୋଇପଡ଼ିଥିଲା। ଏପରିକି ପୁଲିସରେ ଏନେଇ ନିଶା ଖବର ଦେବେ ବୋଲି ଧମକ ଦେବା ପରେ ସଂଜୟ ସମସ୍ତଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ମକସୁଦ୍‌ଙ୍କ ପରିବାରରେ ମେ’ ୨୦ ତାରିଖରେ ଜନ୍ମଦିନ ଭୋଜି ହେଉଥିବା ଜାଣି ସଂଜୟ ସେଠାରେ ପହଞ୍ଚିଥିଲା। ଭିଡ଼ର ସୁଯୋଗ ନେଇ ସଂଜୟ ଖାଦ୍ୟରେ ନିଦ ଔଷଧ ମିଶାଇ ଦେଇଥିଲା। ତେବେ ସମସ୍ତେ ଅଚେତ ହୋଇପଡ଼ିବା ପରେ ସେ ମେ’ ୨୧ ରାତି ୧୨ରୁ ସକାଳ ୫ଟା ମଧ୍ୟରେ ଜଣଙ୍କ ପରେ ଜଣଙ୍କୁ ନେଇ କୂଅରେ ପକାଇ ଦେଇଥିଲା। ପୁଲିସ ମେ’ ୨୧ ତାରିଖରେ ମକସୁଦ୍‌, ନିଶା ସେମାନଙ୍କ ଝିଅ ବର୍ଷା ଖାତୁନ୍‌ ଏବଂ ତାଙ୍କ ୩ ବର୍ଷର ପୁଅର ମୃତ ଦେହ ଉଦ୍ଧାର କରିଥିବା ବେଳେ ଏହାର ପରଦିନ ଶାହବାଜ୍‌ ଆଲମ, ସୋହେଲ୍‌ ଆଲମ୍‌ , ସକିଲ୍‌ , ସାମ୍‌ ଓ ଶ୍ରୀରାମଙ୍କ ମୃତଦେହ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର