ଫିଲିପ୍ପିନ୍‌ସ୍‌ ଆସିଆନ୍‌ ଶିଖର ସମ୍ମିଳନୀରେ ମହାକାବ୍ୟ ‘ରାମାୟଣ’ ମଞ୍ଚସ୍ଥ

ନୂଆଦିଲ୍ଲୀ: ୩୧ଶ ଆସିଆନ୍‌ ଶିଖର ବୈଠକର ଉଦ୍‌ଘାଟନୀ ଉତ୍ସବରେ ରାମାୟଣ ମଞ୍ଚସ୍ଥ ହେବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନନ୍ଦିତ ହୋଇଛନ୍ତି।

କିନ୍ତୁ ଫିଲିପ୍ପିନ୍‌ସ୍‌ ଏବଂ ପ୍ରାଚୀନ ଭାରତୀୟ ମହାକାବ୍ୟ ମଧ୍ୟରେ କି ସଂଯୋଗ ରହିଛି?

୯ମ କିଂବା ୧୦ମ ଶତାବ୍ଦୀ ବେଳକୁ ଫିଲିପ୍ପିନ୍‌ସ୍‌ରେ ହିନ୍ଦୁ ପ୍ରଭାବ ଏବଂ ଲୋକକଥା ପହଞ୍ଚିଥିଲା ବୋଲି ଇଣ୍ଡୋଲୋଜିଷ୍ଟ୍‍ ଜୁଆନ୍‌ ଆର୍‌. ଫ୍ରାନ୍‌ସିସ୍‌କୋ ଏବଂ ଯୋସେଫାଇନ୍‌ ଅକୋଷ୍ଟା ପାସ୍‌ରିଚା କହନ୍ତି। ଫିଲିପ୍ପିନ୍‌ସ୍‌ ପ୍ରସିଦ୍ଧ ନୃତ୍ୟ ‘ସିଙ୍ଗ୍‌କିଲ୍‌’ ‘ରାମାୟଣ’ ଉପରେ ଆଧାରିତ। ଏହା ଦ୍ୱୀପଦେଶ ଅନ୍ତର୍ଗତ ଲେକ୍‌ ଲାନାଓର ମାରାନାଓ ଅଧିବାସୀଙ୍କର ଲୋକନୃତ୍ୟ।

ଫିଲିପ୍ପିନ୍‌ସ୍‌ରେ ‘ରାମାୟଣ’କୁ ‘ମହାରାଡ଼ିଆ ଲାଓ୍ଵାନା’ ଅର୍ଥାତ୍‌ ‘ରାଜା ରାବଣ’ ବୋଲି କୁହାଯାଏ।

ଆଜି ମାନିଲାରେ ଗୋଟାଏ ଦଳ ‘ରାମ ହରି’ ବୋଲି ଯେଉଁ ବାଲେଟ୍‌ ପରିବେଶଣ କରିଥିଲେ ତାହା ‘ମହାରାଡ଼ିଆ ଲାଓ୍ଵାନା’ ଉପରେ ପର୍ଯ୍ୟବେଶିତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଠାରେ ଦର୍ଶକଙ୍କ ଗହଣରେ ଥିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଚୀନ୍‌ ପ୍ରଧାନମନ୍ତ୍ରୀ ଲି’ କେକ୍ୱିୟାଙ୍ଗ୍‌ ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଦି ଅନେକ ନେତୃବୃନ୍ଦ।

ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣର ବିଭିନ୍ନ ଅଂଶକୁ ଏହି ବାଲେଟ୍‌ ସୁନ୍ଦର ଭାବେ ପ୍ରଦର୍ଶନ କରିଛି। ଫିଲିପିନୀୟ ବାଲେଟ୍‌କୁ ମୋଦି ଅପୂର୍ବ ବୋଲି ମଧ୍ୟ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଟୁଇଟ୍‌ରେ ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ ବର୍ଣ୍ଣନାତ୍ମକ ମହାକାବ୍ୟ ହେଉଛି ଏକ ସାଧାରଣ ସୂତ୍ର ଯାହା ଆସିଆନ୍‌ ସଦସ୍ୟ ରାଷ୍ଟ୍ରସମୂହଙ୍କୁ ବାନ୍ଧି ରଖିଛି।

ସମ୍ବନ୍ଧିତ ଖବର