ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍)ରେ ଚିକିତ୍ସିତ ହେଉଥିବା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ କରାଯାଇ ଉଭୟଙ୍କର ମୁଣ୍ଡକୁ ଅଲଗା କରାଯାଇଛି। ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଆଗାମୀ ୭୨ ଘଣ୍ଟା ଯାଏ ଉଭୟ ଶିଶୁଙ୍କୁ ଅବଜର୍ଭେସନରେ ରଖାଯିବା ସହ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ଲାଷ୍ଟିକ ସର୍ଜନମାନେ କାମ କରିବେ ବୋଲି ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଜଗା-ବଳିଆଙ୍କ ଅପରେସନ ପାଇଁ ଗତ ଜୁଲାଇ ୧୪ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚିକିତ୍ସା ବିଜ୍ଞାନରେ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଏକ ବିରଳ ଘଟଣା ବୋଲି ବିବେଚନା କରାଯାଉଛି । କାରଣ, ଦୁହିଁଙ୍କ ସ୍ନାୟୁ ଅନେକ ଅଂଶରେ ଏକତ୍ର ଥିଲା। ବଳିଆର ରକ୍ତ ସଂଚାଳନ ଜଗା ଦେହକୁ ହେଉଥିଲା ଏବଂ ବଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଚାଲି ଯାଉଥିଲା। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାରରେ ବଳିଆର ରକ୍ତ ସଂଚାଳନକୁ ଅନେକାଂଶରେ ଜଗାଠାରୁ ଅଲଗା କରାଯାଇଥିଲା ।
ଗତ ମାସ ୨୮ ତାରିଖ ଦିନ ଏମ୍ସରେ ଥିବା ଓଡ଼ିଆ ଡାକ୍ତର ତଥା ନ୍ୟୁରୋସର୍ଜନ ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟୟ ଅସ୍ତ୍ରୋପଚାର ହୋଇଥିଲା। ଦିଲ୍ଲୀ ଏମ୍ସରେ ସକାଳ ୧୦ଟାରୁ ଏହି ଯୋଡାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା । ଜାପାନରୁ ଆସିଥିବା ବିଶେଷଜ୍ଞ କେ. ତାକି ଜାୱାଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୨୦ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ। ଏହା ସଫଳ ରହିଥିଲା।
ସୂଚନାଯୋଗ୍ୟ ଯେ, କନ୍ଧମାଳର ଏକ ଗରିବ ପରିବାରରେ ୨୦୧୫ ମସିହାରେ ଜନ୍ମିତ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଅନୁକମ୍ପା ରାଶି ଦେଇଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ ଯାଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଅସ୍ତ୍ରୋପଚାର ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହେବା ପରେ ଡାକ୍ତରମାନେ ଦୁଇ ଶିଶୁଙ୍କୁ ଯୋଡ଼ାମୁଣ୍ଡ ଅଲଗା କରିବାରେ ସକ୍ଷମ ହେବା ନେଇ ବେଶ୍ ଆଶାବାଦୀ ଥିଲେ। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପ୍ରାୟ ୨ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବୁଧବାର ସକାଳେ ଆରମ୍ଭ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀରେ ପହଞ୍ଚି ଏହି ସୂଚନା ଗଣମାଧ୍ୟମକୁ ଦେଇଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କରିଛନ୍ତି ଯେ ଆଜି ସକାଳ ୬ଟା ବେଳେ ଉଭୟ ଶିଶୁଙ୍କୁ ଅସ୍ତ୍ରୋପଚାର ଗୃହ( ଓଟି)କୁ ନିଆଯାଇଥିଲା। ସେଠାରେ ସକାଳ ୯ଟାରୁ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ଜଗାବଳିଆଙ୍କୁ ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ଠାରୁ ପ୍ରକାଶ ଯେ ଏହି ଅସ୍ତ୍ରୋପଚାର ପ୍ରାୟ ୨୫ରୁ ୨୭ ଘଣ୍ଟା ଲାଗିବ। ତେବେ ରାତି ପ୍ରାୟ ୯.୩୦ ବେଳକୁ ଜଣାପଡ଼ିଥିଲା କି ଦୁଇ ଶିଶୁଙ୍କୁ ସଫଳତାର ସହ ଅଲଗା କରାଯାଇ ସାରିଛି। ଏହା ସାରା ରାଜ୍ୟରେ ଖୁସୀ ଖେଳାଇ ଦେଇଛି।