‘ଦ ସାଇଲେନ୍‌ସ ବ୍ରେକର୍ସ’ ଟାଇମ୍‌ସ ପର୍ସନ ଅଫ୍‌ ଦି ଇୟର

ଓ୍ଵାସିଂଟନ: ଟାଇମ୍‌ ମ୍ୟାଗାଜିନ ଆଜି ‘ପର୍ସନ ଅଫ୍‌ ଦି ଇୟର୍‌-୨୦୧୭’ ଘୋଷଣା କରିଛି। ‘ଦ ସାଇଲେନ୍‌ସ ବ୍ରେକର୍ସ’ ଟାଇମ୍‌ ପର୍ସନ ଅଫ୍‌ ଦି ଇୟର ବିବେଚିତ ହୋଇଛି। ଏହା କୌଣସି ବ୍ୟକ୍ତି ନୁହେଁ, ଏହା ଏକ ଆନ୍ଦୋଳନର ନାମ। ଏହି ଆନ୍ଦୋଳନ ମାଧ୍ୟମରେ ମହିଳା ଓ ପୁରୁଷମାନେ ସେମାନଙ୍କ କ୍ଷେତ୍ରରେ ଘଟିଥିବା ଯୌନ ଉତ୍ପୀଡ଼ନକୁ ନେଇ ସ୍ୱର ଉଠାଇଥାନ୍ତି। ଏଭଳି ବ୍ୟକ୍ତି ବିଶେଷଙ୍କୁ ନେଇ ‘ଦ ସାଇଲେ୍‌୍‌ସ ବ୍ରେକର୍ସ’ର ପରିକଳ୍ପନା କରାଯାଇଛି। ଚଳିତ ବର୍ଷ ଆମେରିକାରେ ଅନେକ ମହିଳା ଓ ପୁରୁଷ ସେମାନଙ୍କ ସହିତ ହୋଇଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ତଥ୍ୟ ପ୍ରଘଟ କରିଥିଲେ। ଏ ବାବଦରେ ଅନ୍‌ଲାଇନରେ ଚାଲିଥିବା ‘ମି ଟୁ’ (ମୁଁ ମଧ୍ୟ) ଅଭିଯାନ ଏକ ବଳିଷ୍ଠ ଉଦାହରଣ ଏବଂ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ଭାରତରେ ମଧ୍ୟ ଅନେକ ମହିଳା ଏହି ଅଭିଯାନ ସହିତ ସଂପୃକ୍ତ ହୋଇ ସେମାନେ ସମ୍ମୁଖୀନ ହୋଇଥିବା ଯୌନ ନିର୍ଯାତନା ସଂପର୍କରେ ମୁହଁ ଖୋଲିଛନ୍ତି। ଚଳିତ ଥର ଟାଇମ୍‌ ପର୍ସନ ଅଫ୍‌ ଦି ଇୟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ଅଭିଯୋଗ କରିଥିଲେ ଯେ ତାଙ୍କୁ ସାକ୍ଷାତକାର ବଦଳରେ ଟାଇମ୍‌ ପର୍ସନ୍‌ ଅଫ୍‌ ଦି ଇୟର ଘୋଷଣା କରିବାକୁ ସର୍ତ୍ତ ରଖାଯାଇଛି। ତେବେ ମ୍ୟାଗାଜିନ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।

ସମ୍ବନ୍ଧିତ ଖବର