ଆମେରିକା-ଭାରତ ମିଳିତ ଉଦ୍ୟମରେ କରୋନା ଟିକା
ୱାସିଂଟନ: ବିଶ୍ବର ସବୁଠୁ ଅଧିକ ଜଳାତଙ୍କ ଟିକା ଯୋଗାଉଥିବା ଭାରତର ପ୍ରମୁଖ ଟିକା ପ୍ରବର୍ତ୍ତନକାରୀ କମ୍ପାନି ଭାରତ ବାୟୋଟେକ୍ ଏବଂ ଆମେରିକାର ଫିଲାଡେଲ୍ଫିଆ ସ୍ଥିତ ଥମାସ ଜେଫାରସନ୍ ବିଶ୍ବବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ କରୋନା ଟିକା ଉଦ୍ଭାବନ ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଛି। ଏକ ନିଷ୍କ୍ରିୟ ଜଳାତଙ୍କ ଟିକାର ଉପାଦାନକୁ ବିନିଯୋଗ କରି ଏହି କରୋନା ଟିକାର ଉତ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଉକ୍ତ ଜଳାତଙ୍କ ଟିକା ଶିଶୁଙ୍କ ଠାରୁ ଆରମ୍ଭ କରି ଗର୍ଭବତୀଙ୍କ ଯାଏ ସବୁ ଶ୍ରେଣୀର ମନୁଷ୍ୟଙ୍କ ଶରୀରରେ ନିରାପଦ ପ୍ରମାଣିତ ହୋଇଥିବାରୁ ଏହାର ମୁଖ୍ୟ ଉପାଦାନ ରୋଗପ୍ରତିରୋଧୀ ବାହକ ବା ଭେକ୍ଟରକୁ ଏହି ନୂତନ ଟିକାର ଭେକ୍ଟର ଭାବେ ବ୍ୟବହାର କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବର୍ତ୍ତମାନ ବିଶ୍ବରେ ବିକାଶ କରାଯାଉଥିବା ୧୦୦ରୁ ଅଧିକ ସମ୍ଭାବ୍ୟ କରୋନା ଟିକା ମଧ୍ୟରୁ ୨୫ ପ୍ରତିଶତ ହିଁ ଏଭଳି କୌଣସି ବିକଶିତ ଟିକାର ଭେକ୍ଟରକୁ ମୁଖ୍ୟ ଭିତ୍ତିଭୂମି ଭାବେ ବ୍ୟବହାର କରାଯାଉଛି। ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ମାଥିଆସ୍ ସ୍ନେଲ୍ ଉକ୍ତ ନୂତନ ଟିକାକୁ ଗତ ଜାନୁଆରି ମାସରେ ହିଁ ବିଜ୍ଞାନାଗାରରେ ବିକଶିତ କରାଇଥିଲେ। ପଶୁଙ୍କ ଠାରେ ଏହାର ବ୍ୟାବହାରିକ ପରୀକ୍ଷଣ ସରିଥିବା ବେଳେ ମନୁଷ୍ୟଠାରେ ଏହାର ନୈଦାନିକ ପରୀକ୍ଷଣ ବାକି ରହିଛି। ମୂଷାଙ୍କ ଠାରେ ଉକ୍ତ ଟିକାର ରୋଗପ୍ରତିରୋଧ ପ୍ରତିକ୍ରିୟା ଦୃଡ଼ ରହିଥିବା ବେଳେ ସାର୍ସ–କୋଭ୍–୨ ଭୂତାଣୁ ବିରୋଧରେ ଏହା କିପରି କାର୍ଯ୍ୟ କରୁଛି, ସେଥିପାଇଁ ଏବେ ପରୀକ୍ଷାନିରୀକ୍ଷା ଜାରି ରହିଛି। ତେବେ ଆସନ୍ତା ମାସ ବେଳକୁ ଫଳାଫଳ ଆସିଯିବ ବୋଲି ପ୍ରଫେସର ସ୍ନେଲ୍ ଆଶାବାଦୀ ଅଛନ୍ତି। ସେହିପରି ସବୁ କିଛି ଠିକ୍ ରହିଲେ ଆସନ୍ତା ଡିସେମ୍ବର ବେଳକୁ ଭାରତରେ ଏହାର ବ୍ୟାବହାରିକ ପରୀକ୍ଷଣ କରାଯିବ ବୋଲି ଭାରତ ବାୟୋଟେକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା. କୃଷ୍ଣମୋହନ କହିଛନ୍ତି।