ଦେଶକୁ ଭାଙ୍ଗିବାକୁ ଉଦ୍ୟମ କରିବାଠୁ ବଳି ଅପରାଧ ଆଉ କିଛି ନାହିଁ : ରାଜନାଥ ସିଂ

ନୂଆଦିଲ୍ଲୀ : ପୁନେ ପୁଲିସ ଦ୍ୱାରା ମାଓ ସମର୍ଥକ ସଂଦେହରେ ଗିରଫ ୫ ଜଣ ସାମାଜିକ କର୍ମୀଙ୍କ ଗିରଫ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ ପ୍ରେସର କୁକରକୁ ଫାଟିବାକୁ ଦିଆଯିବ ନାହିଁ । ଗଣତନ୍ତ୍ରରେ ଲୋକମାନଙ୍କ ମୁକ୍ତ ମତ ପ୍ରକାଶ କରିବାର ଅଧିକାର ଅଛି ସେମାନେ ନିଜ ଇଚ୍ଛା ଅନୁଯାୟୀ କହିପାରିବେ ବା କରିପାରିବେ । କିନ୍ତୁ ଦେଶକୁ ଭାଙ୍ଗିବାକୁ ବା ହିଂସା ସୃଷ୍ଟି କରିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଯେ ସରକାର ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ କାଏମ ରଖିବାକୁ ବଦ୍ଧପରିକର । କିନ୍ତୁ କୌଣସି ଏକ ଆଦର୍ଶବାଦ ବା ଚିନ୍ତାଧାରାକୁ ବାହାନା କରି ଦେଶରେ ହିଂସାକାଣ୍ଡ ସୃଷ୍ଟି କରିବା, ଦେଶର ଅଖଣ୍ଡତାପ୍ରତି ବିପଦ ସୃଷ୍ଟି କରିବାଠାରୁ ବଳି ଅପରାଧ ଆଉ କିଛି ନାହିଁ । କିଛିଦିନ ତଳେ ଏହି ୫ ଜଣ ତଥାକଥିତ ସମାଜିକ କର୍ମୀ ବା ପୁଲିସ ମତରେ ମାଓସମର୍ଥକଙ୍କ ଗିରଫର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଗଣତନ୍ତ୍ରରେ ଲୋକମାନଙ୍କ ମତକୁ ଦବେଇଲେ ତାହା ପ୍ରେସରକୁକର ପରି ଫାଟିଯିବ ।

ସମ୍ବନ୍ଧିତ ଖବର