ବିଶ୍ୱ ଅର୍ଥନୈତିକ ଫୋରମ୍‌ ରିପୋର୍ଟ : ୨୦୧୮ରେ ଅଧିକ ବିପଦ

ନୂଆଦିଲ୍ଲୀ : ଚଳିତ ବର୍ଷଟି ସାରା ବିଶ୍ୱ ପାଇଁ ବିପଦପୂର୍ଣ୍ଣ ରହିବ ବୋଲି ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍‌ଲ୍ୟୁଇଏଫ୍‌) ପକ୍ଷରୁ କୁହାଯାଇଛି। ପରିବେଶଠାରୁ ଆରମ୍ଭ କରି ଅର୍ଥନୀତି ଏବଂ ଆନ୍ତର୍ଜାତିକ ସମ୍ପର୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିପଦ ଦେଖାଦେବ। ଏହି ସବୁ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହେବ ବୋଲି ଡବ୍‌ଲ୍ୟୁଇଏଫ୍‌ କହିଛି।

ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ ଏହାର ଭୌଗଳିକ ଏବଂ ସାମୁଦ୍ରିକ ପରିସୀମା ବଢ଼ାଇବାକୁ ପ୍ରୟାସ କରୁଛି। ଏହା ନିଜର ସଡ଼କ ଏବଂ ସୀମାକୁ ସମ୍ପ୍ରସାରିତ କରୁଛି ଯାହାର ପ୍ରଭାବ ପଡ଼ୋଶୀ ରାଷ୍ଟ୍ର ଭାରତ ଏବଂ ଜାପାନରେ ଦେଖିବାକୁ ମିଳିଛି। ଚୀନ୍‌ର ଏଭଳି କାର୍ଯ୍ୟକଳାପକୁ ନେଇ ପଡ଼ୋଶୀ ରାଷ୍ଟ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେମାନେ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ଆରମ୍ଭ କରିଦେଲେଣି। ଜାପାନ ଓ ଭାରତ ମଧ୍ୟ ସାମରିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଯଦି ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏଥିରେ ସାମିଲ ହେବେ ତେବେ ସମସ୍ୟା ଆହୁରି ଜଟିଳ ହୋଇପଡ଼ିବ। ଅବଶ୍ୟ ଚୀନ୍‌ ସହିତ ସମ୍ପର୍କ ବିଗାଡ଼ିବା ପାଇଁ ଏପର୍ଯ୍ୟନ୍ତ ଏହି ରାଷ୍ଟ୍ରଗୁଡ଼ିକ କୌଣସି ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିନାହାନ୍ତି। ସେମାନେ ସ୍ଥିତି ଉପରେ କେବଳ ନଜର ରଖିଛନ୍ତି।

ଦକ୍ଷିଣ ଏସିଆ ପାଇଁ ଏହାଠାରୁ ଆହୁରି ବଡ଼ ବିପଦ ହେଉଛି ନିଯୁକ୍ତି, ପ୍ରଶାସନ ଏବଂ ଭିତ୍ତିଭୂମି। ଜେନେଭାଠାରେ ହେବାକୁ ଥିବା ଡବ୍‌ଲ୍ୟୁଇଏଫ୍‌ର ବୈଠକରେ ଏ ନେଇ ଆଲୋଚନା ହେବ। ଏହି ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୭୦ରୁ ଅଧିକ ରାଷ୍ଟ୍ରର ମୁଖ୍ୟମାନେ ଅଂଶଗ୍ରହଣ କରିବେ।

ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ମାନ୍ଦାବସ୍ଥା ପରେ ବର୍ତମାନ ବିଶ୍ୱର ସ୍ଥିତିରେ ସୁଧାର ହେଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ କରିଛି ଯେ ବିଶ୍ୱର ଅଭିବୃଦ୍ଧି ହାର ୩.୬%କୁ ବୃଦ୍ଧି ପାଇବ। କିନ୍ତୁ ସାରା ବିଶ୍ୱରେ ଧନୀ ଓ ଗରିବଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ବୈଷମ୍ୟକୁ ନେଇ ଏହା ଚିନ୍ତା ପ୍ରକଟ କରିଛି। ବିଶ୍ୱର ୫୩% ଦେଶରେ ଏହି ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ତରରେ ପହଞ୍ଚିଗଲାଣି। ଲିଙ୍ଗଗତ ବୈଷମ୍ୟ ଯଦିଓ କମିଛି କିନ୍ତୁ ଯୌନ ଉତ୍ପୀଡ଼ନ ଏବଂ ଧର୍ଷଣ ମାମଲା ବହୁତ ବଢ଼ିଯାଇଥିବା ରିପୋର୍ଟରେ କୁହାଯାଇଛି।

ନିକଟରେ ଆମେରିକା ଓ ୟୂରୋପୀୟ ରାଷ୍ଟ୍ରଗୁଡ଼ିକରେ ବୃଦ୍ଧି ପାଉଥିବା ଉଗ୍ରଦକ୍ଷୀଣପନ୍ଥୀ ବିଚାରଧାରା ଓ ତତ୍‌ସଂପର୍କିତ ରାଜନୈତିକ ପରିସ୍ଥିତିର ଉଦାହଣ ଦିଆଯାଇ କୁହାଯାଇଛି ଯେ ସାମାଜିକ ଧ୍ରୁବୀକରଣ ଯୋଗୁଁ ଦେଶ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଜର୍ମାନ, ପୋଲାଣ୍ଡ, ଜାପାନ, ଫିଲିପାଇନ୍‌ସ, ତୁର୍କୀ, ହଙ୍ଗେରୀ, ଅଷ୍ଟ୍ରିଆ, ରୁଷ୍‌, ଚୀନ, ଆମେରିକା ଆଦି ଦେଶରେ ସାମାଜିକ ଧ୍ରୁବୀକରଣର ପ୍ରଭାବ ସର୍ବାଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି।

୨୦୧୮ରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ୬୦% ରହିଛି। ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ରାଜନୈତିକ ଓ ଅର୍ଥନୈତିକ ବିବାଦ ବୃଦ୍ଧି ପାଇବ। ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସମନ୍ଵୟ କମ୍‌ ହେବ ବୋଲି ଆକଳନ କରାଯାଇଛି। ୨୦୧୮ରେ ଅଣ ଏଲ୍‌ନିନୋ ଜନିତ ଉତ୍ତାପ ଆହୁରି ବୃଦ୍ଧି ପାଇପାରେ। ଇଣ୍ଟରନେଟ୍‌ ବ୍ୟବହାରରେ ବୃଦ୍ଧି ସହିତ ସାରା ବିଶ୍ୱରେ ସାଇବର୍‌ ଅପରାଧ, ହ୍ୟାଙ୍କିଙ୍ଗ ଏବଂ ତଥ୍ୟ ଚୋରି ବଢ଼ିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବିଶ୍ୱର ୩୦ଟି ରାଷ୍ଟ୍ରର ଗବେଷକ ମିଶି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର