ଚୀନ୍ ଆଡ଼କୁ ଢଳୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ବନ୍ଦ କରିବାକୁ ଧମକ ଦେଲେ ଟ୍ରମ୍ପ୍

ୱାସିଂଟନ୍: କରୋନାଭାଇରସ୍ ମହାମାରୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷପାତ କରି ଚୀନକୁ ସମର୍ଥନ କରୁଛି । ସେହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଯୋଗାଉଥିବା ପାଣ୍ଠି ବା ଆର୍ଥିକ ସହାୟତା ବନ୍ଦ କରିବ ବୋଲି ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଧମକ ଦେଇଛନ୍ତି ।

ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ଯୋଗାଣ ଉପରେ ସେ କଡ଼ା ରହିତାଦେଶ ଲାଗୁ କରିବେ । ଏହାଛଡ଼ା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠିକଣା ଭାବେ କରୋନାଭାଇରସ୍ କୋଭିଡ୍-୧୯ ସଂକଟକୁ ପରିଚାଳନା କରି ପାରିନାହିଁ ବୋଲି ଟ୍ରମ୍ପ୍ ସମାଲୋଚନା କରିଛନ୍ତି ।

ଜାତିସଂଘର ଏହି ଅନୁଷ୍ଠାନ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ହିଁ ସବୁଠୁ ଅଧିକ ଆର୍ଥିକ ସହାୟତା ପାଇଥାଏ । କେତେ ପରିମାଣର ଅର୍ଥ ଯୋଗାଣ ଉପରେ ରହିତାଦେଶ ଜାରି ହେବ, ତାହା ଟ୍ରମ୍ପ୍ କହିନାହାନ୍ତି । କିନ୍ତୁ ଏ କଥା କହିବାର ମୁହୂର୍ତ୍ତକ ପରେ ସେ ପୁଣି କହିଲେ ଯେ ମୁଁ ସଂଗେ ସଂଗେ ଏମିତି କରିବି ବୋଲି କହୁନାହିଁ । ଆମେ ଆର୍ଥିକ ସହାୟତା ଯୋଗାଣ ବନ୍ଦ କରିବା କଥା ବିଚାର କରିବୁ ।

Image Source: Zee News

ଟ୍ରମ୍ପଙ୍କ କହିବା ଅନୁସାରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ସମର୍ଥନ କରି ପକ୍ଷପାତିତା କରିବା ପରି ମନେହେଉଛି । ତାହା ଠିକ୍ କଥା ନୁହେଁ । ପୂର୍ବରୁ ସେ ଟୁଇଟ୍ କରି ଲେଖିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍-କେନ୍ଦ୍ରିକ ହୋଇଯାଉଛି ।

ସମ୍ବନ୍ଧିତ ଖବର