ହାଇଦ୍ରାବାଦ: ଗତ ୨୦୦୭ରେ ହାଇଦ୍ରାବାଦରେ ଘଟିଥିବା ଦୁଇଟି ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଥିବା ତୃତୀୟ ଅଭିଯୁକ୍ତ ତାରିକ୍ ଅଞ୍ଜୁମ୍ ଏହେସାନ୍କୁ ଆଜି ହାଇଦ୍ରାବାଦର ଏକ ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଅପରାଧୀ ଅନୀକ୍ ସାଫିକ୍ ସୟିଦ୍ ଓ ଆକବର ଇସ୍ଲାମ୍ ଚୌଧୁରୀକୁ ସ୍ୱତନ୍ତ୍ର ଅଦାଲତ ଗତ ସେପ୍ଟେମ୍ବର ୪ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଦୁଇ ଅଭିଯୁକ୍ତ ଆତଙ୍କବାଦୀ ସଂଗଠନ ଆଇଏମ୍ର ମୁଖ୍ୟ ମହମ୍ମଦ ରିଆଜ୍ ଭଟ୍ଟକଲ୍ର ମୁଖ୍ୟ ସହଯୋଗୀ ଥିଲେ। ସ୍ୱତନ୍ତ୍ର ଅଦାଲତର ବିଚାରପତି ଟି ଶ୍ରୀନିବାସ ରାଓ ହାଇଦ୍ରାବାଦରେ ଘଟିଥିବା ଦୁଇଟି ବିସ୍ଫୋରଣ ଘଟଣାରେ ଏହି ତିନି ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫାରୁକ୍ ସରଫୁଦ୍ଦିନ୍ ତର୍କୀସ୍ ଓ ମହମ୍ମଦ ସାଦ୍ଦିକ୍ ଅହମ୍ମଦ ସାଇକ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଏହି ତିନି ଅପରାଧୀ ଗତ ୨୦୦୭ ଅଗଷ୍ଟ ୨୫ ତାରିଖରେ ହାଇଦ୍ରାବାଦରେ ଘଟାଇଥିବା ଦୁଇଟି ପୃଥକ୍ ପୃଥକ୍ ବିସ୍ଫୋରଣ ଘଟଣାରେ ୪୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୬୮ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ଗୋକୁଲ ଚାଟ ନିକଟରେ ଘଟିଥିବା ବିସ୍ଫୋରଣ ଘଟଣାରେ ୩୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଲୁମ୍ବିନୀ ପାର୍କ ଅଞ୍ଚଳରେ ଘଟିଥିବା ବିସ୍ଫୋରଣରେ ୧୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।