‘ଇତିହାସ କ୍ଷମା ପ୍ରାର୍ଥନା କରୁ’

ସମଲିଙ୍ଗୀଙ୍କ ପାଇଁ ଉତ୍ସବର ଦିନ

ନୂଆଦିଲ୍ଲୀ: ଧାରା ୩୭୭ ବାବଦରେ ସୁପ୍ରିମ୍‌କୋର୍ଟ ନିଜର ଐତିହାସିକ ରାୟ ପ୍ରଦାନ ପରିପ୍ରେକ୍ଷୀରେ ଆଜି ଅନେକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସହମତି ଦ୍ୱାରା ଦୁଇଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ସମଲିଙ୍ଗୀ ସଂପର୍କ ରଖିପାରିବେ। ଏହାକୁ ଏଣିକି ଅପରାଧ ବିବେଚନା କରାଯିବ ନାହିଁ କି ମାନସିକ ବିକୃତି ବୋଲି କୁହାଯାଇ ପାରିବ ନାହିଁ। ଏଲ୍‌ଜିବିଟି ସଂପ୍ରଦାୟର ଅପରାଧୀ ହେଉଛି ଇତିହାସ। ଏହି ସଂପ୍ରଦାୟ ଦୀର୍ଘ ବର୍ଷ ଧରି ଭୟ ଭିତରେ କାଳ କାଟିଛନ୍ତି। ଏଥିପାଇଁ ଇତିହାସ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଏହି ରାୟ ପ୍ରଦାନ ସମୟରେ ଦେଇଥିବା ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ…

ଧାରା ୩୭୭ ହେଉଛି ଅଯୌକ୍ତିକ ଏବଂ ମନମୁଖି। କାରଣ ଏଲ୍‌ଜିବିଟି ସଂପ୍ରଦାୟ ଲୋକଙ୍କ ସ୍ୱାଧୀନତାକୁ ଏହା ପ୍ରଭାବିତ କରୁଛି। ଏହି ଧାରା ଯୋଗୁ ଏଲ୍‌ଜିବିଟି ସଂପ୍ରଦାୟର ଲୋକମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରେ କଷ୍ଟ ସ୍ୱୀକାର କରୁଛନ୍ତି।

ବିଚାର ବିଭିନ୍ନତା ଆମ ସମାଜର ଏକ ‘ସେଫ୍ଟି ଭାଲ୍‌ଭ’ ସଦୃଶ ଏବଂ ସମ୍ବିଧାନ ଏହାକୁ ପରିସ୍ଫୁଟ କରୁଛି। କିନ୍ତୁ ଏହା କୌଣସି ଅନୁପାଳନକୁ ଜୋର ଜବରଦସ୍ତ ଲଦିଦେଉ ନାହିଁ। ତା’ଛଡ଼ା ଆମେ ଇତିହାସକୁ ତ ବଦଳାଇ ପାରିବା ନାହିଁ, କିନ୍ତୁ ଉନ୍ନତ ଭବିଷ୍ୟତ ପାଇଁ ଆମେ ବାଟ ପରିଷ୍କାର କରିପାରିବା।

ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍ସଜେଣ୍ଡର) ସଂପ୍ରଦାୟ ସହିତ ଯୋଡ଼ିହୋଇ ରହିଥିବା କଳଂକକୁ ହଟାଇବା ଦିଗରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କ ରାୟର ନିୟମିତ ପ୍ରଚାର ପ୍ରସାର କରିବା ଉଚିତ।

ସମଲିଙ୍ଗୀ ସଂପର୍କ ଏକ ମାନସିକ ସମସ୍ୟା ନୁହେଁ ଏବଂ ସଂସଦ ମଧ୍ୟ ଏ ପ୍ରସଙ୍ଗକୁ ଭଲ ଭାବେ ବୁଝିଛି।

ସମାଜର ଅନ୍ୟ ସଦସ୍ୟଙ୍କ ଭଳି ଏଲ୍‌ଜିବିଟି ସଂପ୍ରଦାୟ ଲୋକଙ୍କର ମଧ୍ୟ ସମାନ ଅଧିକାର ରହିଛି। ସେମାନେ ନିଜ ଇଚ୍ଛା ଅନୁସାରେ ବଂଚିବାକୁ ସୁଯୋଗ ପାଇବା ଉଚିତ।

ପଶୁଙ୍କ ସହିତ କୌଣସି ପ୍ରକାର ଯୌନ ସଂପର୍କ ସ୍ଥାପନକୁ ଆଇପିସି ଧାରା ୩୭୭ ଆଧାରରେ ଅପରାଧ ବିବେଚନା କରାଯିବ।

ଧାରା ୩୭୭ରେ ରହିଥିବା ଅପରାଧ ଦିଗ ଯୋଗୁ ଏଲ୍‌ଜିବିଟି ଏକ ଲୁକ୍କାୟିତ ସଂପ୍ରଦାୟ ସାଜି ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିଲା। ଏହାଦ୍ୱାରା ସେମାନଙ୍କ ପରିଚୟ, ମର୍ଯ୍ୟାଦା ପ୍ରଭାବିତ ହେଉଥିଲା। ଏହାଛଡ଼ା ସେମାନଙ୍କ ବଂଚିବାର ଅଧିକାରଗୁଡ଼ିକୁ ଏହା ନଷ୍ଟ କରୁଥିଲା।

ସମାଜରେ ଏଭଳି ଭାବେ ନିଷ୍ପେଷିତ ହେଉଥିବା ବର୍ଗଙ୍କୁ ସମାନ ଅଧିକାର ପ୍ରଦାନ ନିମନ୍ତେ କୋର୍ଟଙ୍କ ଦ୍ୱାରା ପ୍ରଗତିଶୀଳ ଓ ବ୍ୟାବହାରିକ ମତାମତ ନିଆଯିବା ଦରକାର। ପରିବର୍ତ୍ତିତ ସମୟରେ ଆବଶ୍ୟକତା ଅନୁସାରେ କୋର୍ଟ ଏଭଳି ହସ୍ତକ୍ଷେପ କରି ଆଇନର ଦିଗ ବଦଳାଇବା ଉଚିତ।

ଏଲ୍‌ଜିବିଟି ସମେତ ସମାଜର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସମ୍ମାନ ଓ ମର୍ଯ୍ୟାଦାକୁ ସୁରକ୍ଷିତ ରଖିବା ପାଇଁ କୋର୍ଟ ଉଦ୍ୟମ କରିବା ଆବଶ୍ୟକ। ଯୌନାକାଙ୍‌କ୍ଷା ହେଉଛି ପ୍ରାକୃତିକ ଏବଂ ଏହା ଉପରେ ଲୋକଙ୍କର ନିୟନ୍ତ୍ରଣ ନାହିଁ।

କୌଣସି ଜଣେ ବ୍ୟକ୍ତିର ଅଧିକାରକୁ ବି କ୍ଷୁଣ୍ଣ କରିବା ସକାଶେ ସାମାଜିକ ନୈତିକତାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ।

କୌଣସି ଘରୋଇ ସ୍ଥାନରେ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସ୍ଥାପନ ହେଉଥିବା ଯୌନ ସଂପର୍କକୁ ରୋକାଯାଇ ପାରିବ ନାହିଁ। କାରଣ ଏହା ହେଉଛି ବ୍ୟକ୍ତିଗତ ପସନ୍ଦ। ତେବେ ଏହା ଯେମିତି କୌଣସି ମହିଳା ବା ଶିଶୁଙ୍କୁ ହାନି ନ ପହଂଚାଏ, ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ।

ଧାରା ୩୭୭ ହେଉଛି ଏକ ଔପନିବେଶିକ ନିୟମ ଏବଂ ବିଡ଼ମ୍ବନାର ବିଷୟ ସ୍ୱାଧୀନତା ପରେ ମଧ୍ୟ ଏହା ଆଇନ ପୁସ୍ତିକାର ପୃଷ୍ଠା ମଣ୍ଡନ କରିଆସୁଥିଲା।

ଏଲ୍‌ଜିବିଟି ସଂପ୍ରଦାୟ ସଦସ୍ୟଙ୍କ ମଧ୍ୟରେ ପ୍ରେମ କରିବାର ମାନବୀୟ ପ୍ରବୃତ୍ତି ୧୫୮ ବର୍ଷର ପୁରୁଣା ଆଇନ- ଧାରା ୩୭୭ ମଧ୍ୟରେ ଆବଦ୍ଧ ହୋଇଯାଇଥିଲା। ଦେଶ ସ୍ୱାଧୀନ ହେବାପରେ ଏଲ୍‌ଜିବିଟି ସଂପ୍ରଦାୟ ଲୋକଙ୍କୁ ଯୌନ ସଂପର୍କ ପାଇଁ ସମାନ ଅଧିକାର ଦେବା ବାବଦରେ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ଧାରା ୩୭୭ ବାବଦରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଐତିହାସିକ ରାୟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଏଲ୍‌ଜିବିଟି ସଂପ୍ରଦାୟ ଲୋକମାନେ ଉତ୍ସବ ମନାଇଛନ୍ତି। ରାୟ ପ୍ରକାଶ ପାଇବା କ୍ଷଣି ସେମାନେ ପରସ୍ପରକୁ ଆଲିଙ୍ଗନ କରି ଖୁସିରେ କାନ୍ଦି ପକାଇଥିଲେ। ଦୀର୍ଘଦିନ ଧରି ସେମାନେ ଯେଉଁ ସ୍ୱପ୍ନ ଦେଖିଆସୁଥିଲେ ଆଜି ପୂରଣ ହୋଇଥିବାରୁ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଏଲ୍‌ଜିବିଟି କାର୍ଯ୍ୟକର୍ତ୍ତା ଅଙ୍କିତ୍‌ ଗୁପ୍ତା କହିଛନ୍ତି, ଏହି ରାୟ ବାସ୍ତବରେ ଐତିହାସିକ। କାରଣ ସମ୍ବିଧାନରେ ଯେଉଁସବୁ ନିୟମ କାନୁନ ରହିଛି ତାହା ସମସ୍ତଙ୍କ ପାଇଁ ଲାଗୁ ହେବା ଆବଶ୍ୟକ। କିନ୍ତୁ ଧାରା ୩୭୭ ତାହାର ବିରୋଧ ଥିଲା। ସୁପ୍ରିମ୍‌କୋର୍ଟ ଏ ବାବଦରେ ଯୁଗାନ୍ତକାରୀ ରାୟ ଦେଇ ଏଲ୍‌ଜିବିଟିଙ୍କୁ ସମ୍ମାନର ସହ ବଂଚିବାର ସୁଯୋଗ ଦେଇଛନ୍ତି। ଆଜି ଆମ ପାଇଁ ଏକ ଉତ୍ସବର ଦିନ ବୋଲି ଅଙ୍କିତ୍‌ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶ ପାଇବା କ୍ଷଣି ଦିଲ୍ଲୀର ‘ଦ ଲଲିତ୍‌ ହୋଟେଲ୍‌’ର କର୍ମଚାରୀମାନେ ନୃତ୍ୟ କରି ଖୁସି ମନାଇଥିଲେ। ଉଲ୍ଲେଖଯୋଗ୍ୟ, ଲଲିତ୍‌ ଗ୍ରୁପ୍‌ ଅଫ୍‌ ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେଶବ ସୁରୀ ହେଉଛନ୍ତି ଜଣାଶୁଣା ଏଲ୍‌ଜିବିଟି କାର୍ଯ୍ୟକର୍ତ୍ତା। ଏହି ଅବସରରେ ସୁରୀ କୁହନ୍ତି, ସମଲିଙ୍ଗୀ ମାମଲାରେ ଯେଉଁ ଓକିଲମାନେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ। ସେମାନଙ୍କ ଯୋଗୁ ଆଜି ଆମକୁ ଏଭଳି ଉତ୍ସବ ମନାଇବାର ସୁଯୋଗ ମିଳିଛି।

ଉଲ୍ଲେଖଯୋଗ୍ୟ, ପ୍ରଥମେ ୨୦୦୧ରେ ନାଜ୍‌ ଫାଉଣ୍ଡେସନ୍‌ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମଲିଙ୍ଗୀ ପ୍ରସଙ୍ଗ ଉଠିଥିଲା। ମାମଲା ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ତେବେ ଧାରା ୩୭୭କୁ ଅପରାଧମୁକ୍ତ କରାଯିବା ସପକ୍ଷରେ ୨୦୦୯ରେ ହାଇକୋର୍ଟ ରାୟ ଦେଇଥିଲେ। ସହମତି ଭିତ୍ତିରେ ଯେ କୌଣସି ବ୍ୟକ୍ତି ପରସ୍ପର ସହ ସଂପର୍କ ରଖିପାରିବେ ଏବଂ ସେମାନଙ୍କୁ ବାରଣ କରାଯିବା ବେଆଇନ ବୋଲି କୋର୍ଟ ଦର୍ଶାଇଥିଲେ। ହାଇକୋର୍ଟଙ୍କ ଏଭଳି ରାୟ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। କିନ୍ତୁ ପରେ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ, ଏବେ ଭାରତ ସମେତ ୨୭ଟି ରାଷ୍ଟ୍ରରେ ସମଲିଙ୍ଗୀ ସଂପର୍କକୁ ବୈଧ ବିବେଚନା କରାଯାଉଛି। ୨୦୦୦ ମସିହାରେ ନେଦରଲାଣ୍ଡ ପ୍ରଥମ ଦେଶ ଭାବେ ସମଲିଙ୍ଗୀ ବିବାହକୁ ବୈଧ ଘୋଷଣା କରିଥିଲା।

ଧାରା ୩୭୭ ବିରୋଧରେ ଲଢ଼ିଥିବା ୫ ଆବେଦନକାରୀ
ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ଏହା ଏକ ଆଇନଗତ ଅଧିକାର ବୋଲି ଆଜି ସୁପ୍ରିମକୋର୍ଟ ଶୁଣାଇଦେଇଛନ୍ତି। ଏହି ରାୟ ବଳରେ ସମଲିଙ୍ଗୀଙ୍କୁ ସ୍ୱୀକୃତି ମିଳିଛି। ତେବେ ଏହି ଯେଉଁ ରାୟ ପ୍ରକାଶ ପାଇଛି ତାହା ଏତେ ସହଜରେ ଆସିନାହିଁ। ବହୁ ସଂଘର୍ଷ କରିବାକୁ ପଡ଼ିଛି। ଅନେକ ସମଲିଙ୍ଗୀଙ୍କୁ ନାନାଦି କଷ୍ଟଦାୟକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଧାରା ୩୭୭କୁ ବିରୋଧ କରି ଏହା ବିରୋଧରେ କେତେକ ସେଫ୍‌, ସାମାଜିକ କର୍ମୀ, ହୋଟେଲ ମାଲିକ ଏବଂ ବିଶେଷଜ୍ଞମାନେ ଆବେଦନ କରିଥିଲେ। ୫ ଜଣ ଆବେଦନକାରୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନବତେଜ୍‌ ଜୋହର: ୨୦୧୪ ମସିହାରେ ଏଲ୍‌ଜିବିଟିକ୍ୟୁଆଇ ଗୋଷ୍ଠୀର କିଛି ସାମାଜିକ କର୍ମୀଙ୍କ ସମେତ ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟକାର ନବତେଜ୍‌ ସିଂହ ଜୋହର ଧାରା ୩୭୭ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୨୦୧୬ ମସିହାରେ ଜୋହରଙ୍କ ଆବେଦନ ଏକ ସମ୍ବିଧାନ ପୀଠକୁ ଶୁଣାଣି ପାଇଁ ପଠାଯାଇଥିଲା। ସଂଗୀତ ନାଟକ ଏକାଡେମି ପୁରସ୍କାରପାପ୍ତ ୫୬ ବର୍ଷୀୟ ନୃତ୍ୟକାର ନବତେଜ୍‌ ସିଂହ କହିଥିଲେ ଧାରା ୩୭୭ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ବଞ୍ଚିବାର ଅଧିକାରକୁ ଉଲ୍ଲଂଘନ କରୁଛି।

ସୁନିଲ ମେହରା: ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟକାର ନବତେଜ୍‌ ସିଂହ ଜୋହରଙ୍କ ଜୀବନ ସାଥୀ ହେଉଛନ୍ତି ସାମ୍ବାଦିକ ସୁନିଲ୍‌ ମେହରା। ୬୦ ବର୍ଷୀୟ ସୁନିଲ୍‌ଙ୍କର ଜୋହରଙ୍କ ସହ ଭେଟ ହୋଇଥିଲା ୧୯୯୪ରେ। ଏକ ପ୍ରୋଫାଇଲ୍‌ କାର୍ଯ୍ୟ ପାଇଁ ଜୋହରଙ୍କୁ ଭେଟିିଥିଲେ ସୁନିଲ୍‌। କିନ୍ତୁ ମାତ୍ର ୬ ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ଭଲପାଇବା ଏବଂ ପରେ ଖୋଲାଖୋଲି ଭାବେ ସେମାନଙ୍କ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା। ସୁନିଲ୍‌ ମଧ୍ୟ ଧାରା ୩୭୭କୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଋତୁ ଡାଲ୍‌ମିଆ: ସେଲିବ୍ରିଟି ସେଫ୍‌ ଋତୁ ଡାଲ୍‌ମିଆ ମଧ୍ୟ ଜଣେ ସମଲିଙ୍ଗୀ। ସେ ଦିବା ରେସ୍ତୋରାଁ ଶୃଙ୍ଖଳର ମାଲିକ। କୋଲକାତାରେ ଜନ୍ମ ହୋଇଥିବା ଋତୁ ମାତ୍ର ୨୦ ଦଶକରେ ଲଣ୍ଡନ୍‌ ଚାଲିଯାଇ ରେସ୍ତୋରାଁ ବ୍ୟବସାୟ ଆରମ୍ଭ କରିଥିଲେ। ୧୯୯୯ ମସିହାରେ ସେ ଭାରତ ଫେରି ଆସିଥଲେ। ତେବେ ଧାରା ୩୭୭ ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଋତୁ ଡାଲ୍‌ମିଆ ୩୭୭କୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ୍‌ ଦାଏର କରିଥିଲେ।

ଅମନ୍‌ ନାଥ: ୬୫ ବର୍ଷୀୟ ଅମନ୍‌ ନାଥ ଜଣେ ଭାରତୀୟ ଲେଖକ, ହୋଟେଲ୍‌ ବ୍ୟବସାୟୀ। ସେ ମଧ୍ୟ ଧାରା ୩୭୭ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆୟଶା କାପୁର: ୪୧ ବର୍ଷୀୟା ବ୍ୟବସାୟୀ ଆୟଶା କାପୁର ଫୁଡ୍‌ ଏବଂ ବେଭରେଜ୍‌ ଶିଳ୍ପରେ କାର୍ଯ୍ୟ କରନ୍ତି। ସେ ମଧ୍ୟ ଧାରା ୩୭୭କୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିପାଇଁ ସ୍ୱର ଉତ୍ତୋଳନ କରିଛନ୍ତି।

ସମ୍ବନ୍ଧିତ ଖବର