ଆନ୍ଧ୍ରର ଏହି ମନ୍ତ୍ରୀ ଦନ୍ତଚିକିତ୍ସା ପାଇଁ  ସିଂଗାପୁର ଗଲେ, ସରକାର ଭରଣା କଲେ ୩ ଲକ୍ଷ ଟଙ୍କାର ବିଲ୍‌ 

ନୂଆଦିଲ୍ଲୀ:  ଦେଶ ସେବା ବାହାନାରେ ରାଜନୀତିକୁ ଆସୁଥିବା ନେତାମାନେ ଯେ ପ୍ରକୃତରେ ନିଜ ସେବା କରୁଛନ୍ତି ତାହା ଆଜିକାଲି କାହାରିକୁ ଅଛପା ନାହିଁ । ରାଜନୀତି ଏବେ ଆଉ ସେବା ହୋଇ ରହିନାହିଁ, ଏହା ଏକ ପ୍ରକାରର ଲାଭଜନକ ପେଷା ହୋଇଯାଇଛି  । ଏହାର ଆଉ ଏକ ପ୍ରମାଣ ମିଳିଛି ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ । ଆନ୍ଧ୍ରପ୍ରଦେଶର ଅର୍ଥମନ୍ତ୍ରୀ ୟେନମଲ୍ଲା ରାମକୃଷ୍ଣଡୁୁ ନିଜର ଦାନ୍ତ ଚିକିତ୍ସା ପାଇଁ ଆମ ଦେଶ ଭାରତରେ କୌଣସି ଭଲ ଚିକିତ୍ସାଳୟକୁ ଉପଯୁକ୍ତ ବୋଲି ଭାବିଲେ ନାହିଁ । ଏଥିପାଇଁ ସେ ବିଦେଶ ଗ୍ରସ୍ତରେ ଯିବାକୁ ବିଚାର କଲେ । ଗତ ଏପ୍ରିଲ ମାସରେ ସେ ସିଂଗାପୁର ଯାଇ ନିଜର ଦାନ୍ତର ରୁଟ କେନାଲ କରାଇଲେ । ଏ ବାବଦରେ ତାଙ୍କ ଖର୍ଚ୍ଚ ହୋଇଥିବା ପ୍ରାୟ ୨ ଲକ୍ଷ ୮୮ ହଜାର ୮୨୩ ଟଙ୍କାର ଏକ ବିଲ୍‌ ତିଆରି କରି ସେ ସରକାରଙ୍କ ପାଖକୁ ପଠାଇଦେଲେ । ନିକଟରେ ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ଏହି ମେଡିକାଲ ରିମ୍ବର୍ସମେଣ୍ଟ ବିଲ୍‌କୁ ମଂଜୁର କରିଛନ୍ତି ।  ଏହାକୁ ନେଇ ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ଓ୍ଵାଇଏସଆର କଂଗ୍ରେସ ପକ୍ଷରୁ ପ୍ରବଳ ବିରୋଧ କରାଯାଉଛି । ମନ୍ତ୍ରୀମାନେ ଗରିବ ଟିକସଦାତାଙ୍କ ଅର୍ଥ ନିଜର ସ୍ୱାର୍ଥସାଧନ ପାଇଁ ବ୍ୟୟ କରୁଛନ୍ତି ବୋଲି ଏହି ଦଳ ଅଭିଯୋଗ କରିଛନ୍ତି ।

ଏହାର ସଫେଇ ଦେଇ ମନ୍ତ୍ରୀ ଜଣକ କହିଛନ୍ତି ଯେ ସେ ସରକାରୀ କାମରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଂଗାପୁର ଯାଇଥିଲେ । ଏହି ସମୟରେ ତାଙ୍କର ଦାନ୍ତ ଯନ୍ତ୍ରଣା ହୋଇଥିଲା । ଏଣୁ ସେ ବାଧ୍ୟହୋଇ ସିଂଗାପୁରରେ ଚିକିତ୍ସା କରାଇଲେ । ସରକାର ମନ୍ତ୍ରୀ ଓ ଅଫିସରମାନଙ୍କ ଡାକ୍ତରୀ ଚିକିତ୍ସା ଖର୍ଚ୍ଚ ଭରଣା କରୁଥିବାରୁ ତାଙ୍କର ବିଲ୍‌ଟି ପାଶ ହୋଇଯାଇଛି । ଏଥିରେ ତାଙ୍କର ଭୁଲ କେଉଁଠି ରହିଲା?

ସମ୍ବନ୍ଧିତ ଖବର