ଏଥର ବି ନିର୍ବାଚନରେ ମହିଳା ହାର କମ୍‌ 

ବେଙ୍ଗାଲୁରୁ: ଗତକାଲି କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିବା ବେଳେ ଏଥିରେ ବିଜୟୀ ମହିଳା ପ୍ରର୍ଥୀଙ୍କ ସଂଖ୍ୟା ଉଦ୍‌ବେଗଜନକ ରହିଛି। ମହିଳାଙ୍କୁ ସମାନ ଅଧିକାର, ମହିଳାଙ୍କ ସମ୍ମାନ କଥା କହି ନିର୍ବାଚନ ଲଢୁଥିବା ଦଳ ଗୁଡ଼ିକ ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ପାଇଁ କେତେ ଚେଷ୍ଟିତ ତାହା ପ୍ରମାଣିତ ହୋଇଯାଇଛି। ଚଳିତବର୍ଷର କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମାତ୍ର ୨ଶହ ମହିଳା ପ୍ରାର୍ଥୀ ନିର୍ବାଚନ ଲଢିଥିଲେ,ଯାହାକି ମୋଟ ପ୍ରାର୍ଥୀଙ୍କ ତୁଳନାରେ ମାତ୍ର ୮ ପ୍ରତିଶତ। ସେପଟେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୩ ପ୍ରତିଶତ ହେଉଛନ୍ତି ମହିଳା। ରାଜ୍ୟରେ ରାଜନୈତିକ ଦଳ ଗୁଡ଼ିକ ସବୁବେଳେ ମହିଳା ମାନଙ୍କୁ ହିଁ ସେମାନଙ୍କ ଏଜେଣ୍ଡାର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିଥାନ୍ତି। ତଥାପି ନିର୍ବାଚନ ଭଳି ଏକ ପ୍ରମୁଖ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମହିଳାଙ୍କ ସମ୍ପୃକ୍ତି ପ୍ରାୟ ନଗଣ୍ୟ ରହିବା ନିହାତି ଭାବେ ଉଦ୍‌ବେଗଜନକ। ଚଳିତ ନିର୍ବାଚନରେ ବିଜେପି ମାତ୍ର ୬ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବା କେନ୍ଦ୍ର ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ପ୍ରତି ପ୍ରଶ୍ନ ଉଠାଇଛି। କେବଳ ଯେ, ବିଜେପି ନୁହେଁ କଂଗ୍ରେସ ମଧ୍ୟ ମୋଟ ୧୫ ଜଣ ଓ ଜେଡିଏସ ମୋଟ ୪ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବିଜୟୀ ୨୨୨ ଜଣ ପ୍ରର୍ଥୀଙ୍କ ମଧ୍ୟରେ ମାତ୍ର ୭ ଜଣ ମହିଳା ରହିଛନ୍ତି। ୪ ଜଣ କଂଗ୍ରେସର ଓ ୩ ଜଣ ବିଜେପିର। ଯଦି ଚଳିତ ନିର୍ବାଚନ ଲଢିଥିବା ସମସ୍ତ ମହିଳା ପ୍ରାର୍ଥୀଙ୍କ ତାଲିକାକୁ ଭଲ ଭାବେ ନିରୀକ୍ଷଣ କରାଯାଏ ତେବେ ଏମାନଙ୍କ ମଧ୍ୟରେ ୨୫ ଜଣ ମୁସଲିମ ପ୍ରାର୍ଥୀ ରହିଛନ୍ତି, ଯାହାକି ମୋଟ ମହିଳା ପ୍ରାର୍ଥୀଙ୍କ ୧୨.୫ ପ୍ରତିଶତ।

ସମ୍ବନ୍ଧିତ ଖବର