ଏ କଳି ୩୦ ବର୍ଷର, ୧ ଚାକିରି ପାଇଁ ୨ ‘ଚମ୍ପା’ ଟଣାଓଟରା

ଗୁଜରାଟ ସରକାର ନିରୁପାୟ, ହସ୍ତକ୍ଷେପ କଲେନି ହାଇକୋର୍ଟ

ଅହମ୍ମଦାବାଦ: ଚାକିରି ଗୋଟିଏ। ଦୁଇଜଣ ଦାବିଦାର। ଦୁଇଜଣଙ୍କ ନାମ ଚମ୍ପା ଏସ୍‌ ରାଣା। ଜଣଙ୍କ ନିକଟକୁ ନିଯୁକ୍ତି ପତ୍ର ଆସିବା ପରେ ସେ ଚାକିରିରେ ଯୋଗଦେଇଥିଲେ। ଏହାପରେ ଅନ୍ୟଜଣେ ଚାକିରି ପାଇଁ ଅଡ଼ିବସିଥିଲେ। ନିଯୁକ୍ତି ପତ୍ରଟି ପ୍ରକୃତରେ ତାଙ୍କ ନାମରେ ଆସିଥିବା ବେଳେ ତାହାକୁ ହାଇଜ୍ୟାକ୍‌ କରି ନିଆଯାଇଥିବା ସେ ଅଭିଯୋଗ କରିଥିଲେ। ଏହି ଗୋଲକ ଧନ୍ଦାରେ ଏବେ ଗୁଜରାଟ ସରକାର ଫସିଛନ୍ତି। ୩୦ ବର୍ଷ ପରେ ମଧ୍ୟ ସରକାର ଜାଣିପାରୁ ନାହାନ୍ତି ଯେ ଚାକିରିଟି ପ୍ରକୃତରେ କାହାକୁ ଦିଆଯିବ। ‌ସେପ‌ଟେ ମାମଲାକୁ ସ୍ବତନ୍ତ୍ର ତଥା ବିରଳ ଦର୍ଶାଇ ଏହାକୁ କୌଣସିମତେ ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଗୁଜରାଟ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ଚାକିରି ପାଇଁ ଦୁଇ ‘ଚମ୍ପା’ଙ୍କ ମଧ୍ୟରେ ଲାଗିଥିବା ଏହି କଳିରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ସିଧା ମନାକରିଦେଇଛନ୍ତି। ଏହା ରାଜ୍ୟ ସରକାରଙ୍କ କାମ ବୋଲି କହିଛନ୍ତି। ନିଯୁକ୍ତି ପତ୍ର ପାଇଥିବା ଚମ୍ପା-୧ କୌଣସି ପ୍ରକାର ଅନିୟମିତତା କରିନାହାନ୍ତି ବୋଲି ମେଟ୍ରୋପଲିଟାନ୍‌ କୋର୍ଟ ଦର୍ଶାଇବା ପରେ ମାମଲାଟି ଭିନ୍ନ ମୋଡ଼ ନେଇଛି। ଏହି ବିବାଦ କ୍ରମେ ଜଟିଳ ହେବାରେ ଲାଗିଛି। ୧୯୮୬ରେ ଅହମ୍ମଦାବାଦର ସରକାରୀ ଫଟୋ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ପିଅନ୍‌ ଭାବେ ହୀରାଲାଲ୍‌ ନି ଚାଲିର ନିବାସୀ ଚମ୍ପା-୧ ନିଯୁକ୍ତି ପାଇଥିଲେ। ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ୍ ପକ୍ଷରୁ ପାଇଥିବା କଲ୍‌ ଲେଟର୍‌ ଆଧାରରେ ସେ ଚାକିରିରେ ଯୋଗଦେଇଥିଲେ। କିନ୍ତୁ ଏହାର ବ‌ର୍ଷକ ପରେ ଚମ୍ପା ଏସ୍‌ ରାଣା (ଚମ୍ପା-୨) ଉକ୍ତ କାର୍ଯ୍ୟାଳୟକୁ ଯାଇ ନିଜକୁ ପ୍ରକୃତ ଚମ୍ପା ବୋଲି କହି ଚାକିରି ପାଇଁ ଅଡ଼ିବସିଥିଲେ। ତାଙ୍କ ନିକଟକୁ ଆସିଥିବା ନିଯୁକ୍ତି ପତ୍ରକୁ ଚମ୍ପା-୧ ବେଆଇନ ଭାବେ ନେଇଯାଇଥିବା ଦାବି କରି ସେ ପିଅନ୍‌ ଭାବେ କାମ ଆରମ୍ଭ କରିଥିଲେ। ଶେଷରେ ବାଧ୍ୟହୋଇ ସମ୍ପୃକ୍ତ ବିଭାଗ ଚମ୍ପା-୧ଙ୍କୁ ଚାକିରିରୁ ହଟାଇ ତଦନ୍ତ ଆରମ୍ଭ କରିଥିଲା। ଏତିକିରେ ବିବାଦ ଟଳିନଥିଲା। ଏହାକୁ ଚାଲେଞ୍ଜ୍‌ କରି ୧୯୮୯ରେ ଚମ୍ପା-୧ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ୧୩ ବର୍ଷ ପାଇଁ ଚମ୍ପା-୧ଙ୍କ ଚାକିରିକୁ ହାଇକୋର୍ଟ ସୁରକ୍ଷିତ ରଖିଥିଲେ। ୨୦୦୨ରେ ମାମଲାର ଚୂଡ଼ାନ୍ତ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭାଗ ପକ୍ଷରୁ ଚମ୍ପା-୧ଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ଚମ୍ପା-୧ ଜାଲ ପ୍ରମାଣପତ୍ର ବ୍ୟବହାର କରି ଚାକିରି କରିଥିବା ବିଭାଗ ଅଭିଯୋଗ କରିଥିଲା। ଏହାପରେ ମେଟ୍ରୋପଲିଟାନ୍‌ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା ଏବଂ ଚମ୍ପା-୧ଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା। ଏହାସତ୍ତ୍ବେ ଚାକିରି ପାଇଁ ପ୍ରକୃତରେ କିଏ ଦାବିଦାର ତାହା ସରକାର ନିଜେ ବି ଜାଣିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର