ଏଇ ମନ୍ଦିରର କାଳୀ ମୂର୍ତ୍ତିଙ୍କର ଅଛି ପାନ୍‌ କାର୍ଡ, ସେ ଟିକସ ରିଟର୍ଣ୍ଣ ବି ଫାଇଲ୍‌ କରୁଛନ୍ତି

କୋଲକାତା: କୋସିପୁର ଅଞ୍ଚଳରେ ଅବସ୍ଥିତ ବାମନଦାସ ମୁଖାର୍ଜୀ କାଳୀ ମନ୍ଦିରରେ ଅଧିଷ୍ଠାତ୍ରୀ ପ୍ରତିମା ଶ୍ରୀକୃପାମୟୀ କାଳିକା ଠାକୁରାଣୀ ପ୍ରତିବର୍ଷ ଆୟକର ଦେଉଛନ୍ତି। ୨୦୧୭-୧୮ ବର୍ଷରେ ସେ ଟ. ୭,୧୦୦/- ଆୟକର ଫାଇଲ୍‌ କରିଛନ୍ତି। ତାଙ୍କର ପାନ୍‌ କାର୍ଡଟିଏ ବି ରହିଛି।

ତା’ର ନମ୍ବର ହେଉଛି – AAAJS0528B। ସେଥିରେ ତାଙ୍କ ଜନ୍ମ ତାରିଖ ସେପ୍ଟେମ୍ବର ୨୯, ୧୯୦୯। ସେଠାରେ ଥିବା ଦୁଇ ଶିବଲିଙ୍ଗ ଦୁର୍ଗେଶ୍ୱର ଏବଂ କ୍ଷେତ୍ରେଶ୍ୱର ମଧ୍ୟ ଆୟକର ଫାଇଲ୍‌ କରିଛନ୍ତି। ଏବଂ ସେମାନଙ୍କର ବି ପାନ୍‌ କାର୍ଡ ଅଛି।

ବାମନଦାସ ମୁଖାର୍ଜୀଙ୍କ ଅଣନାତି ତଥା ୧୯୬୬-୬୭ରୁ ମନ୍ଦିରର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ଥିବା ଅସୀମ କୁମାର ମୁଖାର୍ଜୀ କହନ୍ତି: ୧୯୬୬-୬୭ ରୁ ମୁଁ ଦିଅଁଙ୍କ ନାମରେ ଆୟକର ଫାଇଲ୍‌ କରି ଆସୁଛି। ୨୦୦୦-୦୧ରେ ପାନ୍‌ କାର୍ଡ କରାଯାଇଥିଲା। ସେଥିରେ ଟ୍ରଷ୍ଟ୍‍ ଗଠନର ତାରିଖକୁ ଦିଅଁଙ୍କ ଜନ୍ମ ତାରିଖ ବୋଲି ଉଲ୍ଲେଖ କରାଯାଇଛି।

ସେ ଆହୁରି କହିଛନ୍ତି ଯେ ନିଜେ ଜଣେ ଓକିଲ ଏବଂ ଶୃଙ୍ଖଳିତ ବ୍ୟକ୍ତି ହୋଇଥିବାରୁ ସେ ବିଜ୍ଞତାର ସହ ଆଇନ୍‌ ପାଳନ କରୁଛନ୍ତି। ମୋର ସବୁ ଦଲିଲପତ୍ର ଅପ୍‌-ଟୁ-ଡେଟ୍‌ ହୋଇ ରହିଛି। କେହି ମୋର କୌଣସି ପ୍ରସଙ୍ଗରେ ଅଭିଯୋଗ ଉଠାଇ ପାରିବେ ନାହିଁ। ମୁଁ ଆଇନ୍‌ ଅନୁସାରେ ଚଳି ସ୍ଫଟିକ ପରି ସ୍ୱଚ୍ଛତା ଅବଲମ୍ବନ କରୁଛି। କାଳୀ ପ୍ରତିମା ଏବଂ ଦୁଇ ଶିବ ଲିଙ୍ଗଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ଏବଂ ଫିକ୍‌ସ୍‌ଡ୍‌ ଡିପୋଜିଟ୍‌ ମଧ୍ୟ ରହିଛି।

େଓ୍ଵଷ୍ଟ୍‍ ବେଙ୍ଗଲ୍‌ ନେସ୍‌ନାଲ୍‌ ୟୁନିଭର୍ସିଟିର ଜୁଡିସିଆଲ୍‌ ସାଇନ୍‌ସ୍‌ର ସହକାରୀ ପ୍ରଧ୍ୟାପକ ଅଗ୍ନିଦୀପ୍ତ ତରଫଦାର କହନ୍ତି: ଭାରତରେ ଦିଅଙ୍କ ନାମରେ ଟିକସ ପୈଠ କରିବା ଅତି ମାମୁଲି କଥା। ଟିକସ ଏବଂ ସମ୍ପତ୍ତିବାଡ଼ି ବିଷୟରେ ଆଇନ ପ୍ରାକୃତିକ ଏବଂ ଅପ୍ରାକୃତିକ ସତ୍ତା ମଧ୍ୟରେ କୌଣସି ତଫାତ୍‌ ଦେଖେ ନାହିଁ। କିନ୍ତୁ, କୋଲକାତାର ଅନେକ ମନ୍ଦିରରେ ଦିଅଁମାନଙ୍କର ପୃଥକ୍‌ ପାନ୍‌ କାର୍ଡ ନାହିଁ।

କାଳୀଘାଟ ମନ୍ଦିରର ଅନ୍ୟତମ ସେବାୟତ ସୋମନାଥ ହଲଦାର କହନ୍ତି, କାଳୀଘାଟର କାଳୀ ପ୍ରତିମାଙ୍କର ପାନ୍‌ କାର୍ଡ ନାହିଁ।

ସମ୍ବନ୍ଧିତ ଖବର