ଇଣ୍ଟରନେଟ୍‌ରେ ଭାଇରାଲ ହେଲା କୋଲକାତା ପୁଲିସକର୍ମୀଙ୍କ ଭିଡ଼ିଓ, ଦେଖନ୍ତୁ କିଭଳି ଭାବରେ ଭିଡ଼କୁ ସମ୍ଭାଳି ଥିଲେ ଏହି ପୁଲିସ ଅଧିକାରୀ

କୋଲକାତା: ସାରା ଦେଶରେ ମା’ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଗତକାଲି ତାଙ୍କୁ ମେଲାଣି ଦିଆ ଯାଇଥିଲା । ବିଭିନ୍ନ ପ୍ରକାରର ମେଢ଼ ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ମା’ଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପୂରା ପୂଜା ଉତ୍ସବକୁ ଲୋକମାନେ ମନ ଭରି ଉପଭୋଗ କରିଥିଲେ । ସାରା ଦେଶରେ ଦଶହରାକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିବା ବେଳେ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ କୋଲକାତାରେ ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଲକ୍ଷ ଲକ୍ଷ ଭକ୍ତ । କୋଲକାତା ଦୁର୍ଗା ପୂଜା କେତେ ପ୍ରସିଦ୍ଧ ତାହା’ତ ସମସ୍ତଙ୍କୁ ଜଣାଥିବ । ଏହି ପ୍ରସିଦ୍ଧ ଦୁର୍ଗା ପୂଜା ଦେଖିବା ପାଇଁ ଏଠାକୁ ପ୍ରତିବର୍ଷ ଦେଶର ପ୍ରତିକୋଣରୁ ଲୋକ ଆସିଥାନ୍ତି । କିନ୍ତୁ ଏହି ସମୟରେ କୋଲକାତା ପୁଲିସକର୍ମୀମାନଙ୍କ ମୁଣ୍ଡ ଉପରେ ରହିଥାଏ ସବୁଠାରୁ ବଡ଼ କାମ । ଏତେ ସଂଖ୍ୟକ ଲୋକଙ୍କୁ ସମ୍ଭାଳିବା ତାଙ୍କ ପାଇଁ କାଠିକର ପାଠ ହୋଇଥିବା ବେଳେ ଜଣେ ପୁଲିସକର୍ମୀ ଯେଉଁ ଉପାୟ ଅପାଣାଇ ଭିଡ଼କୁ ସମ୍ଭାଳିଥିଲେ ତାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସବୁ ଦୁର୍ଗା ପୂଜା ପଣ୍ଡାଲରେ ପୁଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜଣେ ପୁଲିସକର୍ମୀ ଯେଉଁଭଳି ଭାବରେ ଭିଡ଼କୁ ସମ୍ଭାଳିଥିଲେ । ତାହା ଉପସ୍ଥିତ ଥିବା ଲୋକଙ୍କୁ ପସନ୍ଦ ଆସିଥିଲା ।

ଭାଇରାଲ ହୋଇଥିବା ଭିଡ଼ିଓରେ ପୁଲିସକର୍ମୀ ଜଣଙ୍କ ନିଜର ଗୋଟେ ଚେୟାର ଉପରେ ଏବଂ ଆଉ ଗୋଟେ ଗୋଡ଼ ବନ୍ଧା ଯାଇଥିବା ବାଉଁଶ ଉପରେ ରଖି ଲୋକମାନଙ୍କୁ ଲାଇନ୍‌ରେ ଆସିବା ପାଇଁ କହୁଥିଲେ । ଅନବରତ ସିଟି ମାରିବା ସହ ଭିନ୍ନ ଉପାୟରେ ହାତ ହଲାଇ ସେ ଲୋକମାନଙ୍କୁ ଏହି ନିର୍ଦ୍ଦେଶ ଦେଉଥିବାର ଦେଖାଯାଇଥିଲା । ପୁଲିସକର୍ମୀଙ୍କ ହାତ ହଲାଇବା ଅନ୍ଦାଜ ପାଇଁ ସମସ୍ତଙ୍କ ଆଖି ପୁଲିସକର୍ମୀଙ୍କ ପାଖରେ ଗୋଟେ ସେକେଣ୍ଡ ପାଇଁ ଅଟକି ଯାଉଥିଲା । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ପୁଲିସକର୍ମୀଙ୍କ କାମକୁ ଲୋକେ ପ୍ରଶଂସା କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର