କେଉଁ ଉଦ୍ଦେଶ୍ୟରେ ଓ କି ବାର୍ତ୍ତାର ପ୍ରଚାର ପାଇଁ ଏହି ଯୁବକ ପାଦରେ ଚାଲିଲେ ୬ ହଜାର କିଲୋମିଟର, ଜାଣନ୍ତୁ…

ଥିରୁବନ୍ତପୁରମ୍‌ (କେରଳ): ଏକ ଉଚ୍ଚବେତନର ଚାକିରିକୁ ପରିତ୍ୟାଗ କରି ଜନୈକ ୩୩ ବର୍ଷ ବୟସ୍କ ଯୁବକ ଶ୍ରୀନଗର ଠାରୁ ତ୍ରିଭେନ୍ଦମ୍‌ ପର୍ଯ୍ୟନ୍ତ ଦୀର୍ଘ ୬ ହଜାର କିଲୋମିଟର ପାଦରେ ଚାଲି ଚାଲି ରକ୍ତଦାନ ପାଇଁ ଜନସଚେତନତା ସୃଷ୍ଟି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଯୁବକଙ୍କ ନାମ କରଣ ବର୍ମା। ଘର କେରଳର ତ୍ରିଭେନ୍ଦମ୍‌। ରକ୍ତ କର୍କଟ ରୋଗରେ ପୀଡ଼ିତା ନିଜ ମା’ଙ୍କୁ ରକ୍ତ ଅଭାବ କାରଣରୁ ହରାଇବା ପରେ ସେ ଏବେ ବୁଝି ପାରିଛନ୍ତି ରକ୍ତର ମହତ୍ତ୍ୱ। ସେଥିପାଇଁ ‘ସମ୍ପ୍ଲି ବ୍ଲଡ୍‌’ ନାମରେ ଏକ ଆପ୍‌ ଜରିଆରେ ବିଶ୍ୱର ପ୍ରଥମ ଭର୍ଚୁଆଲ ରକ୍ତଦାନ ପ୍ଲାଟଫର୍ମର ପ୍ରତିଷ୍ଠା କରିଛନ୍ତି କିରଣ। ଏବଂ ଏହି ‘ସମ୍ପ୍ଲି ବ୍ଲଡ୍‌’ ଜରିଆରେ ରକ୍ତଦାନ କରି ୨୦୨୦ ସୁଦ୍ଧା ଅତିକମ୍‌ରେ ୧୦ ଲକ୍ଷ ବହୁମୂଲ୍ୟ ଜୀବନକୁ ବଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କିରଣ।

ନିଜର ଏହି ଅଭିନବ ଯାତ୍ରା ସଂପର୍କରେ ସୂଚନା ପ୍ରଦାନ କରି କିରଣ କହନ୍ତି, ‘ଗତ ଜାନୁଆରି ୨୬ ତାରିଖରେ ମୁଁ ମୋର ଯାତ୍ରା ଶ୍ରୀନଗରର ଲାଲ୍‌ଚୌକ୍‌ରୁ ଆରମ୍ଭ କରିଥିଲି। ବର୍ତ୍ତମାନ ତ୍ରିଭେନ୍ଦମ୍‌ରେ ପହଞ୍ଚିବା ଭିତରେ ଗତ ଦୁଇ ମାସ ମଧ୍ୟରେ ମୁଁ ପ୍ରାୟ ୬,୫୦୦ କିଲୋମିଟର ପାଦରେ ଚାଲିଚାଲି ଅତିକ୍ରମ କରିଛି। ମୋର ଏହି ଯାତ୍ରା କାଳରେ ଦେଶ ମଧ୍ୟରେ ବିଭିନ୍ନ ରାଜ୍ୟରେ ମୁଁ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ସାଧାରଣ ଲୋକଙ୍କୁ ଭେଟିଛି ଏବଂ ସେମାନଙ୍କୁ ମୋ ଉଦ୍ଦେଶ୍ୟ ଓ ଅଭିପ୍ରାୟ ବାବଦରେ ଅବଗତ କରାଇଛି। ଏହି କ୍ରମରେ ମୁଁ କଲେଜ, ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ଯେପରିକି ମଲ୍‌, ରେସ୍ତୋରାଁ, ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନରେ ବୁଲିବୁଲି ରକ୍ତଦାନର ମହତ୍ତ୍ୱ ସଂପର୍କରେ ବୁଝାଇବା ସହ ସେମାନଙ୍କୁ ରକ୍ତଦାନ ପ୍ରତି ଆକୃଷ୍ଟ କରାଇ ପାରିଛି।’

ଏଥିସହ କିରଣ କହିଛନ୍ତି, ‘ପ୍ରତିଦିନ ଭାରତରେ ୧୨ ହଜାରରୁ ଅଧିକ ବ୍ୟକ୍ତି ରକ୍ତ ଅଭାବ କାରଣରୁ ମୁତ୍ୟୁମୁଖରେ ପଡ଼ୁଛନ୍ତି। ସେଥିପାଇଁ ମୋର ଲକ୍ଷ୍ୟ ହେଉଛି, ପ୍ରତି ଏକ କିଲୋମିଟର ବ୍ୟବଧାନରେ ଅତିକମ୍‌ରେ ୧୦ ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ଜୀବନରେ ଅତିକମରେ ଥରକ ପାଇଁ ହେଲେ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାଇବା’।

‘ସମ୍ପ୍ଲି ବ୍ଲଡ୍‌’ ଆପ୍‌ ଜରିଆରେ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୧ଟି ଦେଶରେ ୨ହଜାର ବହୁମୂଲ୍ୟ ଜୀବନ ବଞ୍ଚାଯାଇ ପାରିଥିବା ସେ ସୂଚନା ଦେଇଛନ୍ତି। ତେବେ, ସବୁଠାରୁ ବଡ଼କଥା ହେଲା କିରଣ ତାଙ୍କର ଏହି ଅଭିଯାନ ପାଇଁ କାହାରି ଠାରୁ କୌଣସି ପ୍ରକାରର ସାହାଯ୍ୟ, ସହଯୋଗ କିମ୍ବା ଆର୍ଥିକ ସହାୟତା ନେଇ ନାହାନ୍ତି; ବରଂ ନିଜସ୍ୱ ସମ୍ବଳରେ ସେ ତାଙ୍କର ଏହି ଅଭିଯାନକୁ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର