କାରଗିଲ ଯୁଦ୍ଧର ଏକ ଅଜଣା କଥା : ଭାରତୀୟ ସେନାର ମହାନତା ଯୋଗୁଁ ସହିଦ ମାନ୍ୟତା ପାଇଥିଲେ ପାକିସ୍ତାନର ଏହି କ୍ୟାପଟେନ

ନୂଆଦିଲ୍ଲୀ : ପ୍ରାୟ ୧୯ ବର୍ଷ ତଳେ ଅର୍ଥାତ ୧୯୯୯ରେ ଭାରତୀୟ ସେନା ଜାମ୍ମୁ ଓ କାଶ୍ମୀରର କାରଗିଲ ସେକ୍ଟରରେ ଏକ ଐତିହାସିକ ଯୁଦ୍ଧ ଲଢି ପାକିସ୍ତାନୀ ସେନାକୁ ଘଉଡାଇଦେଇଥିଲେ । ଏହି ଯୁଦ୍ଧ ୧୯୯୯ ମଇ ମାସରୁ ଆରମ୍ଭ ହୋଇ ଜୁଲାଇ ମାସରେ ଶେଷ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନୀ ସେନା ଲଜ୍ଜାଜନକଭାବେ ପରାଜୟ ବରଣ କରିଥିଲେ ମଧ୍ୟ, ଆଜିପର୍ଯ୍ୟନ୍ତ କେବେ ମଧ୍ୟ ପାକିସ୍ତାନ ସ୍ୱୀକାର କରିନାହିଁ ଯେ ଏହି ଯୁଦ୍ଧରେ ତାହାର ସେନା ହିଁ ଭାଗ ନେଇଥିଲା । କିନ୍ତୁ ଏହି ଯୁଦ୍ଧରେ ଭାରତୀୟ ସେନା ପ୍ରଦର୍ଶନ କରିଥିବା ଏକ ମହାନତାକୁ ଖୋଦ ପାକିସ୍ତାନୀ ସେନା ବି ଭିତରେ ଭିତରେ ପ୍ରସଂଶା କରିଥାଏ ।

ଘଟଣାଟି ଏହିପରି । ୧୯୯୯ ଜୁଲାଇ ୭ରେ ପାକିସ୍ତାନୀ ସେନାର ନଦର୍ଣ୍ଣ ଲାଇଟ ଇନଫାଣ୍ଟ୍ରିର ସଦସ୍ୟ କ୍ୟାପଟେନ କର୍ନାଲ ଶେର୍‌ ଖାଁ ନିଜର ଯବାନ ମାନଙ୍କ ସହ କାରଗୀଲର ଟାଇଗର ହିଲ୍‌ କବଜା ପାଇଁ ଚଢାଉ ଆରମ୍ଭ କରିଥିଲେ । ପାକିସ୍ତାନୀ ସେନାର ଏହି ଦଳ ସହ ଭାରତୀୟ ସେନା ପଟୁ ସାମନା କରିଥିଲେ ୮ ଜଣ ଶିଖ ଓ ୧୮ ଗ୍ରେନେଡିଅର ଯବାନମାନେ । ସେଦିନ ପ୍ରବଳ ଯୁଦ୍ଧ ହୋଇଥିଲା, କିନ୍ତୁ ଭାରତୀୟ ସେନାର ସାମନା କରିପାରିନଥିଲେ କ୍ୟାପଟେନ କର୍ନାଲ ଓ ତାଙ୍କ ସାଥୀମାନେ । ଘଟଣା ସ୍ଥଳରେ ହିଁ କ୍ୟାପ୍ଟେନ ଓ ତାଙ୍କର ୧୫ ଜଣ ଯବାନ ନିହତ ହୋଇଥିଲେ । କିନ୍ତୁ କ୍ୟାପ୍ଟେନଙ୍କ ପ୍ରବଳ ସାହସ ଓ ଯୁଦ୍ଧକୌଶୠ ଦେଖି ଭାରତୀୟ ସେନା ମଧ୍ୟ ତାଙ୍କୁ ପ୍ରସଂଶା କରି ରହିପାରିନଥିଲା । ପରେ ଭାରତୀୟ ସେନା ପାକିସ୍ତାନର ସୀମା ଭିତରକୁ କିଛି ବାଟ ପଶି ଯାଇଥିଲେ ଓ ଫେରିବା ବେଳକୁ ପାକିସ୍ତାନୀ ସେନା ପାଇଁ ଏକ ବାର୍ତ୍ତା ଛାଡି ଆସିଥିଲେ । ଲେଖାଥିଲା, ଆମେ ଭାରତୀୟ ସେନା ବିଶ୍ୱର ଅନ୍ୟ ସେନା ମାନଙ୍କଠାରୁ ଅଲଗା । କାରଣ ଆମେ ସହିଦକୁ ସମ୍ମାନ ଦେଉ । କ୍ୟାପ୍ଟେନ କର୍ନାଲ ଖାଁ ଅପୂର୍ବ ବୀରତ୍ୱର ସହ ଲଢି ନିଜ ଦେଶ (ପାକିସ୍ତାନ) ପାଇଁ ସହୀଦ ହୋଇଛନ୍ତି । ତାଙ୍କୁ ଯେପରି ସହିଦର ମାନ୍ୟତା ମିଳିବା ଉଚିତ”। ଏ ସଂପର୍କରେ ଭାରତୀୟ ସେନାର ଅବସରପ୍ରାପ୍ତ କମାଣ୍ଡର ଲେପ୍ଟନାଣ୍ଟ କମାଣ୍ଡର ମହୀନ୍ଦର ପୁରି ସୂଚନା ଦେଇଛନ୍ତି ।

ବହୁବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ସେନା କାରିଗୀଲ ଯୁଦ୍ଧରେ ନିଜର ସଂପୃକ୍ତିକୁ ଅସ୍ୱୀକାର କରୁଥିଲା । ତବେ ଗତ ୨୦୧୦ରେ ପାକିସ୍ତାନ କ୍ୟାପ୍ଟେନ କର୍ନାଲଙ୍କୁ ପାକିସ୍ତାନର ସର୍ବୋଚ୍ଚ ସାମରିକ ସମ୍ମାନ ନିଶାନ-ଇ-ହାଇଦର ପ୍ରଦାନ କରିଥିଲା । ଏ ସଂପର୍କରେ କ୍ୟାପ୍ଟେନଙ୍କ ଭାଇ ଶକନ୍ଦର ଶେଖ କହିଛନ୍ତି ଯେ ଇଶ୍ୱରଙ୍କ ଧନ୍ୟବାଦ ଯେ ଆମର ଶତ୍ରୁ ଭାରତୀୟ ସେନା କାପୁରୁଷ ନୁହେଁ । ଯଦି କିଏ ଏପରି କହୁଥାଏ, ମୁଁ କହିବି ସେ ମିଛ କହୁଛି ।”

ସମ୍ବନ୍ଧିତ ଖବର