୧୯୯୭ ମସିହାରୁ ପାକିସ୍ତାନ ଜେଲ୍‌କୁ ରାଖି ପଠାଉଛନ୍ତି ଏ ଭଉଣୀ

ଅହମଦାବାଦ: ଭାରତର ସବୁ ଭଉଣୀଙ୍କ ପରି ସେ ବି ଧାର୍ମିକ ଭାବନାରେ ତାଙ୍କ ଭାଇ ନିମନ୍ତେ ରାଖିଟିଏ କିଣି ସ୍ନେହ ଓ ଆଶାର ସହ ଲଫାପାରେ ମୁଦି ଡାକଘରେ ପକାଇ ଦିଅନ୍ତି। ଏହାର ପ୍ରାପକ ସ୍ଥାନରେ ଲେଖା ଥାଏ କୋଟ୍‌ ଲାଖପତ ଜେଲ୍‌, ପାକିସ୍ତାନ।

ଡାକରେ ରାଖି ପଠାଇ ସାରିବା ପରେ ୧୯୯୪ ମସିହାରେ ପାକିସ୍ତାନ ଜେଲ୍‌ରେ ପଡ଼ିଥିବା କୁଳଦୀପ ଯାଦବଙ୍କ ଭଉଣୀ ୪୫ ବର୍ଷୀୟ ରେଖା ଯାଦବ ବିନିଦ୍ର ରଜନୀ କଟାନ୍ତି। ରାଖି କ’ଣ ଭାଇ ନିକଟରେ ପହଞ୍ଚିବ, ଭାଇ କ’ଣ ବଞ୍ଚିଥିବ। ଭାରତ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ କୁଳଦୀପଙ୍କୁ ଜେଲ୍‌ରେ ରଖାଯାଇଛି।

ଅହମଦାବାଦର ଚାନ୍ଦଖେଦା ଅଞ୍ଚଳରେ ରହୁଥିବା ରେଖା ୧୯୯୭ ମସିହାରୁ ରାଖି ପଠାଇ ଆସୁଛନ୍ତି। ସାମରିକ ଅଦାଲତ୍‌ ତାଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡ ଦେବା ପରେ କୁଳଦୀପ କୋଟ୍‌ ଲାଖପତ୍‌ ଜେଲ୍‌ରେ ଅଛନ୍ତି ବୋଲି ସେ ସେହି ବର୍ଷ ଜାଣିବାକୁ ପାଇଥିଲେ। ସେ କହିଛନ୍ତି: ଜେଲ୍‌ରୁ ଆମେ ନିୟମିତ ବ୍ୟବଧାନରେ ଚିଠି ପାଉଥିଲୁ। ୨୦୧୧ରେ ତାଙ୍କ ଠାରୁ ଶେଷ ଥର ଚିଠି ଆସିଥିଲା।

ସେବେଠାରୁ ତାଙ୍କ ଠାରୁ ଆଉ ଚିଠି ନ ଆସୁ ଥିବାରୁ ସେ ବଞ୍ଚିଛନ୍ତି କି, ନାହିଁ ଆମର ସନ୍ଦେହ ହେଉଛି। ସେପ୍ଟେମ୍ବର ୧୦ ତାରିଖ, ୨୦୨୧ ମସିହାରେ କୁଳଦୀପଙ୍କ ଜେଲ୍‌ ଦଣ୍ଡ ଭୋଗ ଶେଷ ହେବ ବୋଲି କେନ୍ଦ୍ର ସରକାର ସେମାନଙ୍କୁ ପଚାରି ବୁଝିଥିଲେ।

ସେ କହନ୍ତି: ଆମେ ଅନେକ ବର୍ଷ ହେବ ଅପେକ୍ଷା କଲୁଣି। ଯଦି ସେ ବଞ୍ଚିଛନ୍ତି ବୋଲି ଭରଷା ପାଏଁ ତେବେ ୨୦୨୧ ଯାଏଁ ଖୁସିରେ ଅପେକ୍ଷା କରି ପାରିବି।

ସମ୍ବନ୍ଧିତ ଖବର