୫୦ ବର୍ଷ ମଧ୍ୟରେ ୮୦୦ ଛୁଆଙ୍କ ବାପା ହୋଇ ରେକର୍ଡ କଲା କଇଁଛ

କାଲିଫର୍ଣ୍ଣିଆ: ବିଶ୍ୱରେ ଜୀବ-ଜନ୍ତୁଙ୍କର ଏମିତି ଅନେକ ପ୍ରଜାତି ଥିଲେ ଯେଉଁମାନେ ବିଲୁପ୍ତ ହୋଇଗଲେଣି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କଇଁଛ ବାବଦରେ କହିବୁ ଯେ କି ନିଜର ପ୍ରଜାତି ବଞ୍ଚାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏହି କଇଁଛ ନିଜର ପ୍ରଜାତି ବଞ୍ଚାଇବା ସହ ୮୦୦ କଇଁଛ ଜନ୍ମରେ ସାଥ ଦେଇଛି | ଏହି କଇଁଛଟିକୁ ବର୍ତ୍ତମାନ ୧୦୦ ବର୍ଷ ହୋଇଥିବାବେଳେ ଓଜନ ହେଉଛି ୮୦ କିଲୋ | ଏହାର ନାମ ଡିଇଗୋ ହୋଇଥିବାବେଳେ କଇଁଛଟି ଚେଲୋନୋଏଦିସ ହୁଡ଼େନସିସ ପ୍ରଜାତିର ବୋଲି ଜଣାପଡିଛି |

ପାଖାପାଖି ୫୦ ବର୍ଷ ତଳେ ଏହି ପ୍ରଜାତିର କେବଳ ଦୁଇଟି ଅଣ୍ଡିରା କଇଁଛ ଓ ୧୨ଟି ମାଈ କଇଁଛଙ୍କ ଛୁଆ ରହିଥିଲେ | ଏହି କଇଁଛମାନେ ପ୍ରଶାନ୍ତ ମହାସାଗରର ଗାଲୋପଗାସ ଦ୍ବୀପରେ ରହୁଥିଲେ | କିନ୍ତୁ ସେଠାରେ ଏମାନଙ୍କ ବଂଶ ବୃଦ୍ଧିରେ ସମସ୍ୟା ହେଉଥିଲା | ବଂଶ ବୃଦ୍ଧି ହେଉନଥିବାରୁ ଏହି ପ୍ରଜାତି ବିଲୁପ୍ତ ହେବାର ପାଦଦେଶରେ ପହଁଚିଯାଇଥିଲା | ଏହା ପରେ ଏହି ପ୍ରଜାତିକୁ ବୃଦ୍ଧି କରିବା ପାଇଁ ଦକ୍ଷିଣ କାଲିଫର୍ଣ୍ଣିଆର ବୈଜ୍ଞାନିକମାନେ କଇଁଛମାନଙ୍କୁ ଏକ ଚିଡ଼ିଆଖାନାରେ ଆଣି ରଖିଥିଲେ |

Photo-Wowamazing.com

ଚିଡ଼ିଆଖାନାରେ ୧୨ଟି ମାଈ କଇଁଛ ସହ ଡିଇଗୋକୁ ରଖାଯାଇଥିଲା | ଏହା ପରେ ବୈଜ୍ଞାନିକଙ୍କ ବଂଶବୃଦ୍ଧି ଯୋଜନା ଫଳରେ କଇଁଛଙ୍କ ସଂଖ୍ୟା ୨୦୦୦ରେ ପହଂଚି ଯାଇଥିଲା | ବଂଶ ବୃଦ୍ଧି ପାଇଁ ଡିଇଗୋ ପ୍ରମୁଖ ଭୂମିକା ନିର୍ବାହ କରି ୮୦୦ କଇଁଛଙ୍କୁ ଜନ୍ମ ଦେବାରେ ସାଥ ଦେଇଥିଲା | ବିରଳ ପ୍ରଜାତିର ଏହି କଇଁଛଙ୍କ ବଂଶବୃଦ୍ଧିରେ ଡିଇଗୋର ୪୦ ପ୍ରତିଶତ ଭୂମିକା ରହିଥିଲା | ବଡ କଥା ଯେ ପାଖାପାଖି ପାଞ୍ଚ ଦଶକ ଧରି ନିଜ ପ୍ରଜାତି ବଢାଇବାରେ ଭୂମିକା ନେଇଥିବା ଡିଇଗୋକୁ ଏହି ବର୍ଷ ମାର୍ଚ୍ଚ ମାସରେ ଅବସର ଦିଆଯିବ | ଏହା ପରେ ଡିଇଗୋ ନିଜ ଘର ପ୍ରଶାନ୍ତ ମହାସାଗରର ଗାଲୋପଗାସ ଦ୍ବୀପକୁ ଚାଲିଯିବ |

ସମ୍ବନ୍ଧିତ ଖବର