ଯୌନ କେଳେଙ୍କାରୀ: ଚଳିତ ବର୍ଷ ଦିଆଯିବନି ନୋବେଲ ସାହିତ୍ୟ ପୁରସ୍କାର

ଷ୍ଟକହୋମ: ଯୌନ କେଳେଙ୍କାରୀ ଅଭିଯୋଗ ଆସିବା ପରେ ଚଳିତ ବର୍ଷର ନୋବେଲ ସାହିତ୍ୟ ପୁରସ୍କାର ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ନୋବେଲ ପୁରସ୍କାର ବିଜେତାଙ୍କୁ ଚୟନ କରୁଥିବା କମିଟି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଚଳିତବର୍ଷର ନୋବେଲ ସାହିତ୍ୟ ପୁରସ୍କାର ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଆସନ୍ତା ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ ଏବଂ ଏହି ସମୟ ମଧ୍ୟରେ କମିଟି ପୁନର୍ବାର ଲୋକଙ୍କ ଭରସା ଓ ବିଶ୍ୱାସ ଜିଣିବାକୁ ଚେଷ୍ଟା କରିବ ବୋଲି ନୋବେଲ ପୁରସ୍କାର ପ୍ରଦାନକାରୀ ନୋବେଲ ଫାଉଣ୍ଡେସନ କମିଟିର ସ୍ଥାୟୀ ସମ୍ପାଦକ ଏଣ୍ଡ୍ରେସ ଓଲସନ କହିଛନ୍ତି। ଗତବର୍ଷ ଜାପାନର ଔପନ୍ୟାସିକ କାଜୁଓ ଇସିଗୋରୁଙ୍କୁ ନୋବେଲ ସାହିତ୍ୟ ସମ୍ମାନ ମିଳିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହି ପୁରସ୍କାର ପ୍ରଦାନରେ କେବେ ବିଭ୍ରାଟ ଦେଖାଦେଇ ନଥିଲା। ୧୯୪୩ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଳୟଙ୍କାରୀ ବିଭୀଷିକା ଯୋଗୁଁ ପୁରସ୍କାର ପ୍ରଦାନକୁ ସ୍ଥଗିତ ରଖାଯାଇଥିଲା। ଫ୍ରାନ୍ସ ଫଟୋଗ୍ରାଫର ତଥା ନୋବେଲ ଫାଉଣ୍ଡେସନ କମିଟିର ସ୍ଥାୟୀ ସଦସ୍ୟ କାଟାରିନା ଫୋଷ୍ଟର୍‌ସନଙ୍କ ସ୍ୱାମୀ ଜିିନ୍‌ କ୍ଲାଉଡ ଆର୍ଣ୍ଣଲ୍ଟ(୭୧)ଙ୍କ ବିରୋଧରେ ଏହି ଯୌନ କେଳେଙ୍କାରୀ ଅଭିଯୋଗ ଆସିବା ପରେ କମିଟି ଘୋର ଅଡ଼ୁଆରେ ପଡ଼ିଛନ୍ତି। କେବଳ ଏତିକି ନୁହେଁ ବରଂ ଏହି ସମ୍ମାନୀୟ କମିଟିରେ ଆର୍ଥିକ ଦୁର୍ନୀତି ମଧ୍ୟ ହେଉଥିବା ନେଇ ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ପରେ କମିଟିକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଗତବର୍ଷ ନଭେମ୍ବର ମାସରେ ସ୍ୱିଡେନରେ ଆୟୋଜିତ ‘‘ମି ଠୁ’’ କ୍ୟାମ୍ପେନ ଯୋଗେ କିଛି ମହିଳା ଆର୍ଣ୍ଣଲ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହା ସହିତ ନୋବେଲ ଫାଉଣ୍ଡେସନ କମିଟିର କିଛି ସଦସ୍ୟ ମଧ୍ୟ ଏହି ଅପରାଧରେ ସାମିଲ ଥିବା ଅଭିଯୋଗ ଆସିବା ପରେ କମିଟିକୁ ତୀବ୍ର ସମାଲୋଚନା କରାଯାଇଥିଲା। ଗତ ସପ୍ତାହରେ କମିଟିର ୧୮ ସଦସ୍ୟ ବିଶିଷ୍ଟ ସ୍ଥାୟୀ କମିଟିର ବୈଠକରେ କାଟାରିନା ଫୋଷ୍ଟର୍‌ସନଙ୍କ ବିରୋଧରେ ମତଦାନ ହେବା ପରେ ତାଙ୍କୁ ସଦସ୍ୟ ପଦରୁ ହଟାଇ ଦିଆଯାଇଛି । ସାରା ଡେନିୟସ ଓ କାଟାରିନାଙ୍କୁ ମିଶାଇ ଏଯାବତ ୬ ଜଣ ସଦସ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇ ସାରିଲେଣି। ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଆର୍ଣ୍ଣଲ୍ଟ ଏହାକୁ ପ୍ରଘଟ କରୁଥିବା ଜଣାପଡ଼ିଛି। ତେବେ ପୂର୍ବରୁ ସେ କେଉଁ ପୁରସ୍କାର ବିଜେତାଙ୍କ ନାମ ପ୍ରଘଟ କରିଛନତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ୧୯୦୧ ମସିହାରୁ ସ୍ୱିଡେନର ଆଲ୍‌ଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ନୋବେଲ ସାହିତ୍ୟ ପୁରସ୍କାର ୧୯୧୪, ୧୯୧୮, ୧୯୩୫, ୧୯୪୦-୪୩ ମସିହାରେ ଦିଆଯାଇ ନାହିଁ ।

ସମ୍ବନ୍ଧିତ ଖବର