ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି : ବିନା ଏସ୍‌ପିଜି ଯାଞ୍ଚରେ ଏଣିକି କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ବି ଭେଟି ପାରିବେନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ଗୁଇନ୍ଦା ବିଭାଗ ନିର୍ଦ୍ଧିଷ୍ଟ ସୂଚନା ଦେବା ପରେ ଏବେ ଏହାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ସ୍ପେଶାଲ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌ (ଏସ୍‌ପିଜି)କୁ କଡ଼ା ନିର୍ଦ୍ଦେଶ ଦେଇଛି।

ଜାତୀୟ ସୁରକ୍ଷା ପରିଷଦ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଏଣିକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଛଅ ସ୍ତରୀୟ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପାଇଁ କରା ଯାଇଥିବା ଏହି ନୂତନ ସୁରକ୍ଷା ବ୍ୟବସ୍ଥାରେ କେହି ଏଣିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତି ନିକଟକୁ ଯାଇ ପାରିବେ ନାହିଁ। ଏପରିକି ମୋଦିଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ ଏବଂ ତାଙ୍କର ବ୍ୟକ୍ତିଗତ ସରକାରୀ ଅଧିକାରୀମାନେ ମଧ୍ୟ ବିନା ଏସ୍‌ପିଜିର ଯାଞ୍ଚ ଓ ଅନୁମତିରେ ମୋଦିଙ୍କ ନିକଟକୁ ଯାଇ ପାରିବେ ନାହିଁ। ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ସୁରକ୍ଷା ପରିଷଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ’ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି। ଏବଂ ରୋଡ୍‌ ସୋ’ ନକରିବାକୁ ଓ ପ୍ରଟୋକଲ୍‌କୁ ନଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟ ଗସ୍ତ କରୁଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି ସାମାନ୍ୟରୁ ସାମନ୍ୟତମ ତ୍ରୁଟି ବିଚ୍ୟୁତି ନହୁଏ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବାକୁ ପ୍ରତି ରାଜ୍ୟର ପୁଲିସ୍‌ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଏଲ୍‌ଟିଟିଇ ଆତଙ୍କବାଦୀମାନେ ଆତ୍ମଘାତୀ ମାନବ ବୋମା ବ୍ୟବହାର କରି ହତ୍ୟା କରିଥିଲେ, ଠିକ୍‌ ସେଇ ଢ଼ଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଦେଶର ନକ୍ସଲବାଦୀମାନେ ଯୋଜନା ପ୍ରସ୍ତୁତ କରିଥିବା ସଂପର୍କରେ ମହାରାଷ୍ଟ୍ର ପୁଲିସ୍‌ ଠୋସ୍‌ ପ୍ରମାଣ ପାଇବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ଜାତୀୟ ସୁୁରକ୍ଷା ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ କଡ଼ାକଡ଼ି କରି ଦିଆଯାଇଛି।

ସମ୍ବନ୍ଧିତ ଖବର