ଛତିଶଗଡ଼: ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାରିଜଣ ଯବାନ ଗୁରୁତର

ମାଲକାନଗିରି/ସୁକମା : ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଳାର କେରଲାପାଲ ଅଞ୍ଚଳରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଶନିବାର ଚାରିଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପ୍ରତିଦିନ ଭଳି ଶନିବାର ବି ଡିଆରଜି ଯବାନ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ । ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ନକ୍ସଲମାନେ ମଉକା ଦେଖି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ୪ଜଣ ଡିଆର୍‌ଜି ଯବାନ ଗୁରୁତର ହୋଇଥିଲେ। ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତର ଆହତଙ୍କୁ ରାୟପୁର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଉଛି ବୋଲି ସୁକମା ଏଏସ୍‌ପି ସଲଭ୍‌ ସିହ୍ନା ସୂଚନା ଦେଇଛନ୍ତି।

ଏହା ଦ୍ୱିତୀୟ ଆଇଇଡି ବିସ୍ଫୋରଣ ବୋଲି କୁହାଯାଉଛି। ଅଗଷ୍ଟ ୭ରେ ନକ୍ସଲଙ୍କ ଏଭଳି ବିସ୍ଫୋରଣରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର କୋବ୍ରା ଅଫିସର ଆହତ ହୋଇଥିବା ଜଣା ପଡ଼ିଥିଲା। ଏହି ବିସ୍ଫୋରଣ ରାୟପୁରରୁ ୫୦୦କିମି ଦୂର ତିମିଲଗୁଡା ଗ୍ରାମ ନିକଟରେ ହୋଇଥିଲା। କୋବ୍ରା ଟିମ୍‌ ସର୍ଚ୍ଚ ଅପରେସନ୍‌ରେ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।


ଉଲ୍ଲେଖଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ପେଦାପାଲ ଓ ବେଚାପାଲ ମଧ୍ୟରେ ରହିଥିବା ଜଂଗଲରେ ପୋଲିସ୍‌ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା ବେଳେ ପୁଲିସ ଗୁଳିର ସାମ୍ନା କରି ନପାରି ନକ୍ସଲ ପଛଘୁଞ୍ଚା ଦେଇଥିଲେ। ଏହାପରେ ନକ୍ସଲଙ୍କ କ୍ୟାମ୍ପ ଓ ତାଲିମ ଶିବିରକୁ ପୁଲିସ, ଡିଆରଜି ଏବଂ ଏସଟିଏଫ ଯବାନ ଧ୍ୱଂସ କରି ଦେଇଥିଲେ।

ସମ୍ବନ୍ଧିତ ଖବର