କର୍ଣ୍ଣାଟକରେ ଗୁରୁବାର ଆସ୍ଥା ଭୋଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ଜେଡିଏସ-କଂଗ୍ରେସ ମେଣ୍ଟ ସରକାରଙ୍କ ଭାଗ୍ୟ ଏବେ ସୁତା ଖିଅରେ ଝୁଲୁଛି। ମେଣ୍ଟର ୧୬ ଜଣ ବିଧାୟକ ଇସ୍ତଫା ଦେଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଆସନ୍ତା ଗୁରୁବାର ବିଧାନସଭାରେ ଆସ୍ଥା ଭୋଟ ଦେବେ। ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଆସ୍ଥା ଭୋଟ ଉପରେ ଆଲୋଚନା ଗୁରୁବାର ଦିନ ୧୧ଟାରୁ ଆରମ୍ଭ ହେବ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘୋଷଣା କରିଛନ୍ତି। ମେଣ୍ଟର ୧୬ ବିଦ୍ରୋହୀ ବିଧାୟକ ବାଚସ୍ପତି କେ. ଆର. ‌ରମେଶ କୁମାରଙ୍କୁ ଇସ୍ତଫା ଦେବା ପରେ କର୍ଣ୍ଣାଟକ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। କର୍ଣ୍ଣାଟକ ବିଧାନସଭାରେ ମୋଟ ଆସନ ସଂଖ୍ୟା ବାଚସ୍ପତିଙ୍କୁ ମିଶାଇ ୨୨୫। ୧୬ ଜଣ ବିଧାୟକ ଇସ୍ତଫା ଗୃହୀତ ହେଲେ ସେଠାରେ ସରକାରୀ ଦଳର ସଂଖା ୨୦୯କୁ ହ୍ରାସ ପାଇବ। ତେଣୁ ଆସ୍ଥା ଭୋଟରେ ଜିତିବା ପାଇଁ କଂଗ୍ରେସ-‌ଜେଡିଏସ ମେଣ୍ଟକୁ ୧୦୫ ଆସନ ଆବଶ୍ୟକ ହେବ। କିନ୍ତୁ ମେଣ୍ଟ ନିକଟରେ ୧୦୧ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ବିଜେପିର ୧୦୫ ଜଣ ବିଧାୟକ ଅଛନ୍ତି। ଏଥିସହିତ ଦୁଇ ଜଣ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ତେଣୁ ଆସ୍ଥା ଭୋଟରେ ମେଣ୍ଟ ସରକାରର ବିଜୟ ସମ୍ଭାବନା ପ୍ରାୟତଃ ନାହିଁ। ତେବେ ପରବର୍ତ୍ତୀ ସ୍ଥିତି ଉପରେ ନଜର ରହିଛି।

ଅନ୍ୟପକ୍ଷରେ କର୍ଣ୍ଣାଟକ ବିଧାନସଭାରେ ଗୁରୁବାର ଆସ୍ଥା‌ ଭୋଟ ହେବାକୁ ସ୍ଥିର ହୋଇଥିବାରୁ ଏହା ପୂର୍ବରୁ ମୁମ୍ବାଇସ୍ଥିତ ରେନେସାଁ ହୋଟେଲରେ ରହୁଥିବା ବିଦ୍ରୋହୀ ବିଧାୟକମାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଏପରିକି ବିଧାୟକମାନଙ୍କୁ ହୋଟେଲର ତଳ ମହଲାରୁ ଉପର ମହଲାକୁ ନିଆଯାଇଛି। ବିଧାୟକମାନେ ଯେଉଁ ମହଲାରେ ‌ରହୁଛନ୍ତି ସେଠାକୁ କାହାରିକୁ ଛଡ଼ାଯାଉନାହିଁ। ସେଠାରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ହୋଟେଲର ବିଭିନ୍ନ ମହଲାରରେ ପୁଲିସ ମୁତୟନ କରାଯାଇଛି। ହୋଟେଲ୍‌ରେ ରହୁଥିବା ବିଦ୍ରୋହୀ ବିଧାୟକମାନେ ଆଜି ମୁମ୍ବାଇ ପୁଲିସ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ବିଧାୟକମାନେ ରହୁଥିବା ହୋଟେଲ୍‌ରେ ସେମାନଙ୍କୁ ସାକ୍ଷାତ କରିବାପାଇଁ ବରିଷ୍ଠ କଂଗ୍ରେସ ନେତା ଆସୁଥିବା ଚର୍ଚ୍ଚା ହେବାପରେ ଏନେଇ ବିଦ୍ରୋହୀ ବିଧାୟକମାନେ ଚିଠି ଲେଖିଛନ୍ତି। ସେମାନେ ଜଣାଇ ଦେଇଛନ୍ତି କୌଣସି କଂଗ୍ରେସ ପ୍ରତିନିଧିଙ୍କ ସହ ସେମାନେ ସାକ୍ଷାତ କରିବାକୁ ଚ‌ାହୁନାହାନ୍ତି।

ସୁପ୍ରିମ୍‌ କୋର୍ଟରେ ଶୁଣାଣି ଆଜି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି କର୍ଣ୍ଣାଟକର ମୋଟ ୧୫ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) କରିବାକୁ ରାଜି ହୋଇଛନ୍ତି। ପୂର୍ବରୁ ଆବେଦନ କରିଥିବା ୧୦ ବିଦ୍ରୋହୀ ବିଧାୟକଙ୍କ ସମେତ ପରେ ଏହି ମାମଲାରେ ପକ୍ଷଭୁକ୍ତ ହେବାପାଇଁ ଆବେଦନ କରିଥିବା ଅନ୍ୟ ୫ ବିଧାୟକଙ୍କ ମାମଲାର ଶୁଣାଣି ମଙ୍ଗଳବାର ହେବ। କର୍ଣ୍ଣାଟକ ବାଚସ୍ପତିଙ୍କୁ ସେମାନଙ୍କ ଇସ୍ତଫା ଗୃହୀତ କରିବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ବିଦ୍ରୋହୀ ବିଧାୟକମାନେ ସୁପ୍ରି‌ମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ମାମଲା ପରିଚାଳନା କରୁଛନ୍ତି। ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରୋହତଗିଙ୍କ ଯୁକ୍ତି ଶୁଣିବା ପରେ ପକ୍ଷଭୁକ୍ତ ହେବାପାଇଁ ଆବେଦନ କରିଥିବା ୫ ବିଧାୟକଙ୍କୁ ମିଶାଇ ମାମଲାର ଏକତ୍ର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରିଥିବା ୫ କଂଗ୍ରେସ ବିଦ୍ରୋହୀ ବିଧାୟକମାନେ ହେଲେ ଆନନ୍ଦ ସିଂହ, କେ. ସୁଧାକର, ଏନ ନାଗରାଜ, ମୁନରତ୍ନା ଏବଂ ରୋଶନ ବେଗ୍। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଏବଂ ସେମାନଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନନେବାକୁ ପୂର୍ବରୁ ଗତ ୧୨ ତାରିଖରେ ସୁପ୍ରିମକୋର୍ଟ କର୍ଣ୍ଣାଟକ ବାଚସ୍ପତି ରମେଶ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର