ଫେସବୁକରେ ୧୫,୦୦୦ ଲାଇକସ୍‌ ଓ ଟୁଇଟରରେ ୫୦୦୦ ଫଲୋଅର୍ସ ନ ଥିଲେ ମିଳିବ ନାହିଁ ଟିକେଟ୍‌ ! ପ୍ରାର୍ଥୀତ୍ୱ ଲାଗି ଆବେଦନ କରିଥିବା ନେତାଙ୍କୁ କଂଗ୍ରେସର ତାଗିଦ୍‌

ଭୋପାଳ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ‘ହାଇ-ଟେକ୍‌’ ହେଉଛି ବୋଲି ଅନେକ ସମୟରେ ଆଲୋଚନା ହୁଏ। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେଉଥିବା ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆଶାୟୀ ପ୍ରାର୍ଥୀମାନଙ୍କୁ ଏକ ହ୍ଵିପ୍‌ ଜାରି କରାଯାଇଛି। ଯେଉଁମାନଙ୍କର ସୋସିଆଲ୍‌ ମିଡିଆରେ ଅଧିକ ସଂଖ୍ୟକ ଫଲୋଅର୍ସ ଥିବେ ସେମାନେ ହିଁ ଦଳୀୟ ଟିକେଟ୍‌ ପାଇପାରିବେ। ଏଥିସହ ଟିକଟ ଲାଗି ଆବେଦନ କରୁଥିବା ନେତାଙ୍କର ଫେସ୍‌ବୁକ୍‌ ଏବଂ ଟୁଇଟର ଆକାଉଣ୍ଟ୍‌ ରହିବା ବାଧ୍ୟତାମୂଳକ।

କେବଳ ସେତିକି ନୁହେଁ, ଦଳୀୟ ନେତାଙ୍କୁ ଏକଥା ମଧ୍ୟ କୁହାଯାଇଛି ଯେ ପ୍ରାର୍ଥୀଙ୍କର ଫେସ୍‌ବୁକ୍‌ରେ ଅତିକମ୍‌ରେ ୧୫,୦୦୦ରୁ ଅଧିକ ଲାଇକ୍‌ସ ଥିବା ସହ ୫୦୦୦ ଫଲୋଅର୍ସ ଟୁଇଟର୍‌ରେ ରହିବା ଜରୁରୀ। ଏଥିସହ ସେମାନେ ବହୁ ସଂଖ୍ୟକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ ସହ ଜଡ଼ିତ ଥିବା ମଧ୍ୟ ଦରକାର।

ମଧ୍ୟପ୍ରଦେଶ କଂଗ୍ରେସ ତା’ର ନେତାଙ୍କୁ ଜଣାଇଛି କି ପିସିସି ପକ୍ଷରୁ ଜାରି ସମସ୍ତ ଟୁଇଟ୍‌କୁ ସେମାନେ ରି-ଟୁଇଟ୍‌ କରିବା ସହ ଫେସ୍‌ବୁକ୍‌ରେ ସେୟାର୍‌ କରିବେ। ଏଥିସହ ନେତାମାନଙ୍କୁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସଂପର୍କରେ ସମସ୍ତ ତଥ୍ୟ ପାର୍ଟିକୁ ଦେବାକୁ ହେବ। ଏହାପରେ ଯାଇ ପ୍ରାର୍ଥୀ ହେବା ଲାଗି ସେମାନଙ୍କ ଆବେଦନକୁ ବିଚାରକୁ ନିଆଯିବ।

କେବଳ କଂଗ୍ରେସ ନୁହେଁ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ଆଗାମୀ ନିର୍ବାଚନରେ ପ୍ରାର୍ଥୀମାନଙ୍କର ସୋସିଆଲ୍‌ ମିଡ଼ିଆ ପ୍ରଭାବକୁ ବିଚାରକୁ ନିଆଯାଇଛି। ଏହା ସ୍ପଷ୍ଟ ସୂଚିତ କରୁଛି ଯେ ଆଗାମୀ ନିର୍ବାଚନ ଗୁଡିକରେ ସୋସିଆଲ୍‌ ମିଡ଼ିଆ ଜନମତ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସମ୍ବନ୍ଧିତ ଖବର