ସମୁଦ୍ରପତ୍ତନ ଠାରୁ ୩, ୬୩୦ ମିଟର ଉଚ୍ଚ ତୁଷାରଆବୃତ ଅରୁଣାଚଳ ଉପତ୍ୟକାରେ ବାଘ

ଗୌହାଟି: ସମୁଦ୍ରପତ୍ତନ ଠାରୁ ୩, ୬୩୦ ମିଟର ଉଚ୍ଚରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ଦିବଙ୍ଗ ଉପତ୍ୟକାରେ ମଧ୍ୟ ବାଘମାନେ ରହୁଛନ୍ତି ବୋଲି ଦୀର୍ଘ ତିନି ବର୍ଷ ହେବ ସେ ଅଞ୍ଚଳରେ ରଖା ଯାଇଥିବା କ୍ୟାମେରାରେ ଉତ୍ତୋଳିତ ଫଟୋରୁ ଜଣାପଡ଼ିଛି। ଏତେ ଉଚ୍ଚରେ ବୃହଦ୍‌କାୟ ମାର୍ଜାର ଦେଖା ଦେବା ଘଟନା ଇଏ ବୋଧହୁଏ ପ୍ରଥମ। କିନ୍ତୁ, ଓ୍ଵାଇଲ୍‌ଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଐଶୋ ଶର୍ମା ଅଧିକାରୀମାୟୁମ୍‌ଙ୍କ ବିଶ୍ୱାସ ଯେ ବାଘମାନେ ଏହା ଠାରୁ ଉଚ୍ଚ ପର୍ବତରେ ବି ରହୁଥାଇ ପାରନ୍ତି।

ସେ କହନ୍ତି: ୩, ୬୩୦ ମିଟର ଉଚ୍ଚରେ ବି ଶ୍ୱାପଦମାନେ ରହନ୍ତି। ୨୦୧୨ରେ ଭୁଟାନ୍‌ରେ ୪, ୨୦୦ ମିଟର ଉଚ୍ଚରେ ଗୋଟାଏ ବାଘ ରହୁଥିବାର ଫଟୋ ଉତ୍ତୋଳିତ ହୋଇଥିଲା। ଦିବଙ୍ଗ ଉପତ୍ୟକାର ବଣ୍ୟଜନ୍ତୁଙ୍କ ଉପରେ କେତେଗୁଡ଼ାଏ ରିପୋର୍ଟ ଲେଖିଥିବା ଅନ୍‌ଓ୍ଵାର୍‌ଉଦ୍ଦିନ ଚୌଧୁରୀ କହନ୍ତି ସମୁଦ୍ର ପତ୍ତନ ଠାରୁ ୪୦୦୦ ମିଟର ଉପରେ ବାଘମାନେ ବସବାସ କରୁଥିବା ସ୍ପଷ୍ଟ ସୂଚନା ଅଛି।

ଉତ୍ତରାଖଣ୍ଡ ଠାରେ ୪୦୦୦ ମିଟର ଉଚ୍ଚରେ ବାଘ ଦେଖା ଯାଇଥିଲା, କିନ୍ତୁ ଏଯାବତ୍‌ ତା’ର କୌଣସି ପ୍ରମାଣ ମିଳି ନାହିଁ।

ଦିବଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ୪, ୧୪୯ ବର୍ଗ କିଲୋମିଟର ଅଞ୍ଚଳରୁ ଜୀବବିଜ୍ଞାନୀ ଅଧିକାରିମାୟୁମ୍‌ ଏବଂ ଜିଭି ଗୋପୀ ୨୦୧୫-୧୭ ମସିହାରେ ୩୩୬ ବର୍ଗ କିଲୋମିଟର ଅଞ୍ଚଳରେ ୧୦୮ଟି କ୍ୟାମେରା ବସାଇଥିଲେ।

ନଭେମ୍ବର ୨୬ ତାରିଖ ଦିନ ‘ଜର୍ଣ୍ଣାଲ୍‌ ଅଫ୍‌ ଥ୍ରେଟେଣ୍ଡ୍‌ ଟେକ୍ସା’ରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ କେବଳ ୩, ୬୩୦ ମିଟର୍‌ ଉଚ୍ଚରେ ବାଘମାନେ ବାସ କରୁଥିବାର ପ୍ରମାଣ ଦେଇନାହିଁ। ଏଥିରେ ଦୁଇଟି ଛୁଆ ସହ ଅନ୍ୟ ୧୧ଟି ବାଘ ସେ ଅଭୟାରଣ୍ୟରେ ରହୁଛନ୍ତି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର