ଟିକ୍‌ଟକ୍ ଆପ୍ ଉପରୁ ନିଷେଧାଦେଶ ଉଠିଲା

ଚେନ୍ନାଇ : ‌ଚୀନର ଲୋକପ୍ରିୟ ମୋବାଇଲ ଆପ୍ ଟିକଟକ୍ ଉପରୁ ମାଡ୍ରାସ ହାଇକୋର୍ଟ ଆଜି ‌ନିଷେଧାଦେଶ ଉଠାଇ ଦେଇଛନ୍ତି। ଅଦାଲତ କେତେକ ସର୍ତାବଳୀ ସହିତ ଏହି ନିଷେଧାଦେଶକୁ ଉଠାଇଛନ୍ତି। ସେଥିରେ ଏହି ଆପ୍‌ରେ କୌଣସି ଅଶ୍ଳୀଳ ଭିଡିଓ ଅପଲୋଡ ହେବନାହିଁ ‌ବୋଲି କୋର୍ଟ କହିଛନ୍ତି। ଅଶ୍ଳୀଳ ଭିଡିଓ ଅପଲୋଡ ହେଲେ ତାହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯାଇ ମାମଲା ଚାଲିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ମାଡ୍ରାସ ହାଇ‌କୋର୍ଟର ମଦୁରାଇ ‌ବେଞ୍ଚ ଏହି ଆପ୍‌ ଉପରେ ଅନ୍ତରୀଣ ନିଷେଧାଦେଶ ଦେଇଥିଲେ। ଏହି ରାୟ ପରେ କେନ୍ଦ୍ର ଆଇଟି ମନ୍ତ୍ରାଳୟ ଆପଲ୍ ଏବଂ ଗୁଗୁଲ୍ ସେମାନଙ୍କ ଷ୍ଟୋରରୁ ଏହାକୁ ବାଦ୍ ଦେବା ପାଇଁ ନିର୍ଦେଶ ‌ଦେଇଥିଲା। ଫଳରେ ସେମାନେ ଏହି ଆପ୍‌କୁ ହଟାଇ ଦେଇଥିଲେ। ତେବେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଟିକଟକ୍ ଆପ୍‌ କମ୍ପାନି ଚୀନର ବାଇଟ୍ ଡ୍ୟାନ୍ସ ଆବେଦନ କରିଥିଲା। କମ୍ପାନିକୁ ମତାମତ ଦେବାକୁ ସୁଯୋଗ ଦିଆ ନଯାଇ ଏହି ନିଷେଧାଦେଶ ଦିଆଯାଇଛି ଏବଂ ଏହା ବାକ୍ ସ୍ବାଧୀନତାକୁ କ୍ଷୁଣ୍ଣ କରୁଛି ବୋଲି କମ୍ପାନି ଯୁକ୍ତି ବାଢ଼ିଥିଲା। ତେବେ ଏହା ଅନ୍ତରୀଣ ନିଷେଧାଦେଶ ହୋଇଥିବାରୁ ଏବଂ ମାମଲାର ଶୁଣାଣି ‌ଚାଲିଥିବାରୁ ଏହି ରାୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। କିନ୍ତୁ ଏହି ମାମଲାର ଶୁଣାଣି ବୁଧବାର କରି ଏହା ଉପରେ ରାୟ ଦେବାକୁ ସୁପ୍ରିମ କୋର୍ଟ ଗତ ସୋମବାର ମାଡ୍ରାସ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ। ଏହା ନହେଲେ ନିଷେଧାଦେଶକୁ ଉଠାଇ ନିଆଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଉକ୍ତ ମାମଲାର ଶୁଣାଣି ଆଜି କରିବା ସହିତ ମାଡ୍ରାସ ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର