ଟିକ୍‌ଟକ୍‌ର ମାୟା; ରିଭଲଭର ଧରି ନିଜର ଭିଡିଓ ସୁଟିଂ କରୁଥିବା ବେଳେ ଫୁଟିଗଲା ରିଭଲଭର, ଚାଲିଗଲା ଯୁବକଙ୍କ ଜୀବନ…

ବରେଲୀ: ଉତ୍ତରପ୍ରଦେଶର ବରେଲୀରେ ଆଜି ଘଟି ଯାଇଛି ଏକ ଅଘଟଣ। ମୋବାଇଲ ଭିଡିଓ ଆପ୍‌ ଟିକ୍‌ଟକ୍‌ର ମାୟାରେ ବାୟା ହୋଇ ଯାଇଥିବା ଜଣେ ଯୁବକ ଗୋଟିଏ ରିଭଲଭରକୁ ହାତରେ ଧରି ନିଜର ଭିଡିଓ ସୁଟିଂ କରୁଥିବା କାଳରେ ରିଭଲଭରଟି ଅଚାନକ ଫୁଟିଯିବା କାରଣରୁ ଗୁଳିବିଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ନବାବଗଞ୍ଜ ଜିଲ୍ଲାର ମୁଡ଼ିଆ ଭାଇକରାମପୁର ଗ୍ରାମରେ। ଆଉ ଏଇ ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ନାମ କେଶବ (୧୮) ବୋଲି ଜଣାପଡ଼ିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଟିକ୍‌ଟକ୍‌ ଭିଡିଓ ସୁଟିଂ ଉଦ୍ଦେଶ୍ୟରେ ତାଙ୍କୁ ରିଭଲଭରଟିକୁ ଅଳ୍ପ ସମୟ ପାଇଁ ଦେବାକୁ ଆଜି ସକାଳୁ କେଶବ ତାଙ୍କ ମା’ ସାବିତ୍ରୀ ଦେବୀଙ୍କ ନିକଟରେ ଜିଦି କରିଥିଲେ। ପ୍ରଥମେ ସାବିତ୍ରୀ ଦେବୀ ଏଥିପାଇଁ ଅରାଜି ଥିଲେ ମଧ୍ୟ ଶେଷରେ ପୁଅର ଜିଦ୍‌ ଆଗରେ ମୁଣ୍ଡନୁଆଁଇ ଆଲମୀରା ଭିତରୁ ରିଭଲଭରଟିକୁ ବାହାର କରି ତାକୁ ଦେଇଥିଲେ। ତେବେ, ରିଭଲଭରଟିରେ ଯେ ଗୁଳି ଭର୍ତ୍ତି ଅଛି ସେ କଥା କାହାରିକି ହେଲେ ଜଣା ନଥିଲା। ରିଭଲଭରଟିକୁ କେଶବକୁ ଧରାଇ ଦେଇ ସାବିତ୍ରୀ ଦେବୀ ଘରର ଅନ୍ୟ କାମ କରିବାକୁ ଚାଲିଗଲେ।

Latestly

ଏଣେ ରିଭଲଭରଟିକୁ ନିଜ ହାତରେ ଧରି ବିଭିନ୍ନ ପ୍ରକାରର ଅଙ୍ଗଭଙ୍ଗୀରେ କେଶବ ନିଜର ଭିଡିଓ ସୁଟିଂ କରୁଥିବା ଅବସ୍ଥାରେ ଗୁଳିଭର୍ତ୍ତି ରିଭଲଭରଟି ହଠାତ୍‌ ଫୁଟି ଯାଇଥିଲା। ଏବଂ ଗୁଳିବିଦ୍ଧ ହୋଇ ତଳେ ପଡ଼ି ଯାଇଥିଲେ କେଶବ। ଗୁଳି ଶବ୍ଦ ଶୁଣି ଘର ଭିତରକୁ ଦଉଡ଼ି ଆସି ସାବିତ୍ରୀ ଦେବୀ ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥାରେ କେଶବ ଚଟାଣରେ ଲୋଟୁଥିଲେ। ସଙ୍ଗେସଙ୍ଗେ ଗୁଳିବିଦ୍ଧ କେଶବକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆ ଯାଇଥିଲା। ହେଲେ, ସେଠାରେ ଡାକ୍ତର କେଶବକୁ ମୃତ ବୋଲି ଘୋଷଣା କରିଥିଲେ। ଏ ଘଟଣା ସଂପର୍କରେ ନବାବଗଞ୍ଜ ପୁଳିସ ଏକ ଅପମୃତ୍ୟୁ ମାମଲା ଆଗତ କରିବା ସହ ଘଟଣାର ତଦନ୍ତ ଆରମ୍କ କରିଛି।

ସମ୍ବନ୍ଧିତ ଖବର