‘ଟାଇମ୍‌ ବ୍ୟାଙ୍କ୍‌’ ବୁଢ଼ାଦିନର ସାହାରା

ନୂଆଦିଲ୍ଲୀ: ଭାରତରେ ବରିଷ୍ଠ ନାଗରିକଙ୍କ ସାମାଜିକ ନିରାପତ୍ତା ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ସେମାନଙ୍କୁ ସେବା ଓ ସୁରକ୍ଷା ଯୋଗାଇଦେବା ପାଇଁ କୌଣସି ସୁବିଧାଜନକ ଯୋଜନା ନାହିଁ। କିନ୍ତୁ ସାମାଜିକ ନିରାପତ୍ତା କ୍ଷେତ୍ରରେ ସ୍ୱିଜରଲ୍ୟାଣ୍ଡ୍‌ ଏବେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସୁଇସ୍‌ ସରକାର ‘ଟାଇମ୍‌ ବ୍ୟାଙ୍କ ପେନ୍‌୍‌ସନ’ ଯୋଜନା ଲାଗୁକରି ସମଗ୍ର ବିଶ୍ୱରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ପରିଣତ ବୟସରେ କୌଣସି ନାଗରିକ ଯେଭଳି ଅସହାୟ ଅବସ୍ଥାରେ ନ ରୁହନ୍ତି ସେଥିପାଇଁ ସାମାଜିକ ସୁରକ୍ଷା ବିଭାଗର ପେନ୍‌୍‌ସନ ଯୋଜନାରେ ‘ଟାଇମ୍‌ ବ୍ୟାଙ୍କ୍‌’କୁ ସାମିଲ କରାଯାଇଛି। ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କୁ ସେବା ଓ ସୁରକ୍ଷା ଦେବାପାଇଁ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ନିୟୋଜିତ ହୋଇଥାନ୍ତି ସେମାନଙ୍କ ପାଇଁ ସରକାର ସମୟ ସଂଚୟ କରି ରଖିଥାନ୍ତି। ଏଭଳି ସେବା ଯୋଗାଇଥିବା ବ୍ୟକ୍ତି ଯେତେବେଳେ ପରିଣତ ବୟସରେ ସେବା ଆବଶ୍ୟକ କରିଥାନ୍ତି ସେମାନଙ୍କୁ ଟାଇମ୍‌ ବ୍ୟାଙ୍କ୍‌ ପେନ୍‌୍‌ସନ ମାଧ୍ୟମରେ ସେବା ଯୋଗାଇ ଦିଆଯାଇଥାଏ। ଏହି ଯୋଜନା ଦ୍ୱାରା ଅନେକ ସାମାାଜିକ ସମସ୍ୟା ଦୂର ହେଉଥିବା ବେଳେ ରାଷ୍ଟ୍ରର ପେନ୍‌୍‌ସନ ବାବଦ ଖର୍ଚ୍ଚ ହ୍ରାସ ଦିଗରେ ମଧ୍ୟ ସହାୟକ ହେଉଛି। ସ୍ୱିଜରଲ୍ୟାଣ୍ଡର ଯୁବଗୋଷ୍ଠୀଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଟାଇମ୍‌ ବ୍ୟାଙ୍କ୍‌ ଯୋଜନାରେ ସାମିଲ ହୋଇ ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇ ଦେଉଛନ୍ତି। ସେମାନେ ସେବା ବାବଦରେ ଦେଉଥିବା ପ୍ରତ୍ୟେକ ମିନିଟ୍‌ର ହିସାବ ସରକାରଙ୍କ ପାଖରେ ରହୁଛି ଏବଂ ଏହି ସମୟକୁ ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ଟାଇମ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଗଚ୍ଛିତ ରଖାଯାଉଛି। ଯେତେବେଳେ ସେବା ଯୋଗାଇଥିବା ବ୍ୟକ୍ତି ସେବା ଆବଶ୍ୟକ କରିଥାନ୍ତି ତାଙ୍କୁ ତାଙ୍କର ଟାଇମ୍‌ ବ୍ୟାଙ୍କ୍‌ରୁ ସମୟ ଖର୍ଚ୍ଚ କରିବାକୁ ସୁଯୋଗ ମିଳିଥାଏ। ସଂପୃକ୍ତ ବ୍ୟକ୍ତିଙ୍କୁ ସେବା ଯୋଗାଇବା ପାଇଁ ଯଥାଶୀଘ୍ର ସ୍ୱେଚ୍ଛାସେବୀ ତାଙ୍କ ନିକଟରେ ପହଞ୍ଚି ଯାଇଥାନ୍ତି। ଏହି ଯୋଜନାକୁ ଅଧିକ ସକ୍ରିୟ ଓ ଫଳପ୍ରଦ କରିବା ପାଇଁ ସରକାର ଆଇନ ପ୍ରଣୟନ ମଧ୍ୟ କରିଛନ୍ତି।

ଟାଇମ୍‌ ବ୍ୟାଙ୍କ୍‌ ଯୋଜନାରେ କାମ କରିବା ପାଇଁ ଆବେଦନ କରୁଥିବା ବ୍ୟକ୍ତି ଭଲ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥିବେ ଏବଂ ଅନ୍ୟପ୍ରତି ଦୟା ଓ କରୁଣା ପ୍ରଦର୍ଶନ କରୁଥିବେ। ତାଙ୍କର ବ୍ୟବହାର ଅତି ଉତ୍ତମ ହୋଇଥିବା ଆବଶ୍ୟକ ବୋଲି ଏଥିରେ ସର୍ତ୍ତ ରଖାଯାଇଛି । ଏହି ସାମାଜିକ ନିରାପତ୍ତା ବୀମା ଯୋଜନାର ସଠିକ୍‌ ରେକର୍ଡ ମଧ୍ୟ ନିୟମିତ ତଦାରଖ କରାଯାଇଥାଏ। ଟାଇମ୍‌ ବ୍ୟାଙ୍କ୍‌ ପେନ୍‌୍‌ସନ ଯୋଜନାରେ ସାମିଲ ବ୍ୟକ୍ତିଙ୍କୁ ଟାଇମ୍‌ ବ୍ୟାଙ୍କ୍‌ କାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଡ ବ୍ୟବହାର କରି ସେମାନେ ସମୟ ଏବଂ ସମୟର ସୁଧ ଉଠାଣ କରିଥାନ୍ତି। ସାମାଜିକ ନିରାପତ୍ତା ବିଭାଗର କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ ପରେ ସେବା ଚାହୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱେଚ୍ଛାସେବୀ ନିଯୁକ୍ତି ଦିଆଯାଇଥାଏ। ଏଭଳି ଏକ ମହତ ଯୋଜନା ପାଇଁ ସ୍ୱିଜରଲ୍ୟାଣ୍ଡ୍‌ର ବରିଷ୍ଠ ନାଗରିକ ସଙ୍କଟମୁକ୍ତ ଜୀବନ ଜୀଇଁବାରେ ସମର୍ଥ ହେଉଛନ୍ତି।

ସମ୍ବନ୍ଧିତ ଖବର