ପାକିସ୍ତାନକୁ ଜବାବ ଦେବାର ବେଳ ଆସିଯାଇଛି: ସେନାଧ୍ୟକ୍ଷ

ରାଫେଲ ବିବାଦ ସେନା ଉପରେ ପ୍ରଭାବ ପକାଇବନି, ଯୁଦ୍ଧ ପାଇଁ ପ୍ରସ୍ତୁତ, କିନ୍ତୁ ଶାନ୍ତିର ମାର୍ଗ ବାଛିବୁ: ପାକ୍‌

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଏବଂ ପାକ୍‌ ଆତଙ୍କବାଦୀଙ୍କ ବର୍ବରତାର କଡ଼ା ଜବାବ ଦେବା ପାଇଁ ଏବେ ସମୟ ଆସିଯାଇଛି ଏବଂ ବର୍ତ୍ତମାନ ସ୍ଥିତିରେ ଏହାର ଆବଶ୍ୟକତା ରହିଛି ବୋଲି ସେନାଧ୍ୟକ୍ଷ ବିପିନ ରାଓ୍ଵତ କହିଛନ୍ତି। ଭାରତ ବିରୋଧରେ ପାକିସ୍ତାନୀ ସେନାର ବର୍ବରତା, ଅକାରଣରେ ଗୁଳିବର୍ଷା, ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଜାରି ରହିଛି। ଏହାର ଉଚିତ ଦେବା ପାଇଁ ଭାରତ ଏବେ ତୟାର ରହିଛି ବୋଲି ରାଓ୍ଵତ କହିଛନ୍ତି। ଭାରତ ଆତଙ୍କବାଦ ଯୋଗୁଁ ଯେଭଳି ଯନ୍ତ୍ରଣା ସହ୍ୟ କରୁଛି ତାହା ପାକିସ୍ତାନ ମଧ୍ୟ ଅନୁଭବ କରିବା ଉଚିତ ବୋଲି ସେ କହିଛନ୍ତି। ଆଜି ଅପରାହ୍ନରେ ଗଣମାଧ୍ୟମକୁ ରାଓ୍ଵତ କହିଛନ୍ତି ଯେ ଆତଙ୍କବାଦ ଏବଂ କଥାବାର୍ତ୍ତା ଏକ ସଙ୍ଗରେ ଚାଲିପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି। ଏ ନେଇ ଆମ ସରକାରଙ୍କ ନୀତି ଅତ୍ୟନ୍ତ ସ୍ପଷ୍ଟ ରହିଛି। ପାକିସ୍ତାନକୁ ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବାକୁ ହେବ, ଅନ୍ୟଥା ଭାରତ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଂଚା ଦେବନାହିଁ ବୋଲି ରାଓ୍ଵତ ଚେତାବନୀ ଦେଇଛନ୍ତି।

ଭାରତ-ପାକିସ୍ତାନ ପ୍ରସ୍ତାବିତ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ରଦ୍ଦ ହେବାପରେ ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଇମ୍ରାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ପରେ ସେନାଧ୍ୟକ୍ଷ ଗଣମାଧ୍ୟମକୁ ସାଂପ୍ରତିକ ସ୍ଥିତି ନେଇ ସେନାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଜମ୍ମୁ କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବର୍ବରତା ଏବଂ ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନୀ ସେନାର କାପୁରୁଷୋଚିତ କାର୍ଯ୍ୟ ଦୃଷ୍ଟିରୁ ଭାରତ ଆଲୋଚନାକୁ ରଦ୍ଦ କରିଥିବା ଗତକାଲି ଦର୍ଶାଇଥିଲା। ସେନାର ଆଧୁନିକୀକରଣ ସଂପର୍କିତ ଏକ ପ୍ରଶ୍ନର ଜବାବରେ ସେନାଧ୍ୟକ୍ଷ କହିଥିଲେ ଯେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାସଲ ପ୍ରକ୍ରିୟା ଜାରି ରହିଛି। ନୂତନ ଜ୍ଞାନକୌଶଳରେ ନିର୍ମାଣ ହେଉଥିବା ଅସ୍ତ୍ରଶସ୍ତ୍ର ଭାରତ ପାଇଁ ଆବଶ୍ୟକ। ରାଫେଲ ପ୍ରସଙ୍ଗରେ ସେନାଧ୍ୟକ୍ଷ କହିଛନ୍ତି ଯେ ଏହାକୁ ନେଇ ଲାଗି ରହିଥିବା ବିବାଦ ସେନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତେବେ ପାକିସ୍ତାନ ସେନା କହିଛି ଯେ ଯୁଦ୍ଧ ପାଇଁ ଦେଶ ପ୍ରସ୍ତୁତ ରହିଛି। କିନ୍ତୁ ଶାନ୍ତିର ମାର୍ଗ ବାଛିବାକୁ ଏହା ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର