ଟାଇମ୍ସ ନାଓ-ଭିଏମଆର୍ ଜନମତ ସର୍ଭେ: ଲୋକସଭାରେ ଏନଡିଏ ୨୫୨, ୟୁପିଏ ୧୪୭ ଓ ଅନ୍ୟ ଦଳକୁ ୧୪୪ ଆସନ ମିଳିବ

ବିଜେପି ୨୧୫ ଆସନ ସହ ବଡ଼ ଦଳ ହେବ ଓ କଂଗ୍ରେସକୁ ମିଳିବ ମାତ୍ର ୯୬ ଆସନ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ କିଏ ଜିତିବ ? ଏ ନେଇ ଅଙ୍କକଷା ଜାରି ରହିଥିବାବେଳେ ଟାଇମସ ନାଓ ଭିଏମଆର ଜନମତ ସର୍ଭେରେ ଏନଡିଏକୁ ବହୁମତ ମିଳିବ ନାହିଁ ଓ ଝୁଲା ଲୋକସଭା ଗଠନ ହେବ ବୋଲି ଅନୁମାନ କରାଯାଇଛି ।

ସର୍ଭେରେ କୁହାଯାଇଛି ଯେ, ବର୍ତ୍ତମାନ ନିର୍ବାଚନ ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫୨, ୟୁପିଏକୁ ୧୪୭ ଓ ଅନ୍ୟ ଦଳକୁ ୧୪୪ ଆସନ ମିଳିବ  । ସବୁଠାରୁ ବଡ କଥା ହେଲା, ବିଜେପି ୨୧୫ ଆସନ ସହ ବଡ ଦଳ ହେବ ଓ କଂଗ୍ରେସକୁ ମାତ୍ର ୯୬ ଆସନ ମିଳିବ ବୋଲି ସର୍ଭେ କହିଛି । ୨୦୧୪ ନିର୍ବାଚନରେ ଦଳକୁ ମାତ୍ର ୪୪ଟି ଆସନ ମିଳିଥିଲା ।

ସର୍ଭେ ଅନୁସାରେ, ୟୁପିରେ ଏନଡିଏକୁ ବଡ଼ କ୍ଷତି ହୋଇପାରେ । ଏସପି-ବିଏସପି ମହାମେଣ୍ଟ କୁ ୫୧ଟି ଆସନ ମିଳିପାରେ । ଏନଡିଏକୁ ୨୭ ଓ ୟୁପିଏକୁ ୨ ଆସନ ମିଳିବ । ଗତ ନିର୍ବାଚନରେ କେବଳ ଉତ୍ତର ପ୍ରଦେଶରେ ବିଜେପି ମୋଟ ୮୦ ଆସନରୁ ୭୦ଟି ଆସନ ଜିତିଥିଲା ।

ତେବେ ହିନ୍ଦୀ ଭାଷାଭାଷୀ ଅଂଚଳରେ ଏନଡିଏକୁ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ରାଜସ୍ଥାନ ଓ ଝାଡଖଣ୍ଡ, ପଞ୍ଜାବ, ବିହାର ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ହିନ୍ଦୀ ଭାଷାଭାଷୀ ଅଂଚଳରେ ଏନଡିଏକୁ କ୍ଷତି ହେବାର ଆକଳନ କରାଯାଇଛି । ଝାଡଖଣ୍ଡରେ ବିଜେପି ସରକାର ଥିବାବେଳେ ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଅଛି । ବିହାରରେ ବିଜେପି-ଜେଡିୟୁ କ୍ଷମତାସୀନ ଅଛନ୍ତି ।

କିନ୍ତୁ ପଶ୍ଚିମବଙ୍ଗ, ଓଡିଶା ଓ ଉତ୍ତରପୂର୍ବ ରାଜ୍ୟରେ ବିଜେପି ଫାଇଦାରେ ରହିବ ବୋଲି ଦର୍ଶାଇଛି ସର୍ଭେ । ସେହିଭଳି ଓଡିଶା, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଏନଡିଏ ଫାଇଦାରେ ରହିବ ବୋଲି ଦର୍ଶାଯାଇଛି । ଓଡ଼ିଶାରେ ବିଜେପି ୧୩ଟି ଆସନ ପାଇବ ବୋଲି ସର୍ଭେ କହିଛି । ଗତ ନିର୍ବାଚନରେ ରାଜ୍ୟରେ ବିଜେପିକୁ ଗୋଟିଏ ମାତ୍ର ଲୋକସଭା ଆସନ ମିଳିଥିଲା ।

ସମ୍ବନ୍ଧିତ ଖବର