ପ୍ରଥମ ଥର ପାଇଁ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ତିରୁମାଲାର ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିର

ଚିତ୍ତୋର: ତିରୁମାଲାର ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିର ଦୀର୍ଘଦିନ ପରେ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ଏହି ମନ୍ଦିରରେ ଆସନ୍ତା ୧୧ ଅଗଷ୍ଟରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ କୌଣସି ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ। କାରଣ ଏହି ସମୟରେ ଭଗବାନଙ୍କର ଏକ ବିଶେଷ ପୂଜା ହେବ ବୋଲି ଜଣାପଡିଛି। ତେବେ ଏହି ସମୟରେ ଭକ୍ତଙ୍କ ଉପରେ କଟକଣା ଲଗାଇଛି ମନ୍ଦିର ପ୍ରଶାସନ। ମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା ପ୍ରଥମ ଥର ହେଉଛି କି ଭଗବାନଙ୍କ ଦର୍ଶନ ଉପରେ ଶ୍ରଦ୍ଧାଳୁଙ୍କ ଉପରେ କୌଣସି କଟକଣା ଲାଗୁ କରାଯାଇଛି।

ମନ୍ଦିରର ଗର୍ଭଗୃହରେ ଏକ ବିଶେଷ ପୂଜା ହେବ ବୋଲି ଜଣାପଡିଛି। ତିରୁମାଲା ତିରୁପତି ଦେବ ସଂସ୍ଥାନ ବୋର୍ଡ(ଟିଟିଡି)ର ଅଧ୍ୟକ୍ଷ ପୁଟା ସୁଧାକାର ଯାଦବ କହିଛନ୍ତି ଯେ, ଆମେ ମାନେ ଏକ ବୈଠକରେ ସ୍ଥିର କରିଛୁ ବିଶେଷ ପୂଜା ସମୟରେ କୌଣସି ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସାରା ଦେଶରୁ ବହୁ ସଂଖ୍ୟରେ ଶ୍ରଦ୍ଧାଳୁମାନେ ଏଠାରେ ଆସି ପୂଜାର୍ଚ୍ଚନା କରିଥାଆନ୍ତି। ତେବେ ଅନେକ ଲୋକ ନିଜର ମାନସିକତା ପୂରଣ କରିବା ପାଇଁ ଏଠାରେ ଅନେକ ପ୍ରକାରର ପୂଜାର୍ଚ୍ଚନା କରାଇଥାଆନ୍ତି।

କିନ୍ତୁ ମନ୍ଦିରର ଏକ ବିଶେଷ ପୂଜାପାଇଁ ଏପରି ନିଷ୍ପତ୍ତି ନେବାକୁ ପଡିଛି ବୋଲି ପ୍ରଶାସନ ପକ୍ଷରୁୁ ସୂଚନା ଦିଆଯାଇଛି। ଏପଟେ ମନ୍ଦିରରେ ଏପରି କଣ ବିଶେଷ ପୂଜା କରାଯାଏ ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉକ୍ରଣ୍ଠା ରହିଛି। ସେଠାକାର ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଆମେ ମାନେ କେବେ ମନ୍ଦିର ଏତେ ସମୟ ଧରି ବନ୍ଦ କରିବା ଦେଖିନାହିୁଁ। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ପୂଜାପାଇଁ ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ ସାଧାରଣ ଲୋକମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ମଧ୍ୟ। ତେଣୁ ଲୋକମାନେ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଭଗବାନଙ୍କ ବିଶେଷ ପୂଜା କିପରି ସମ୍ପାଦନ ହେବ ସେ ବିଷୟରେ ଆମେମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସମସ୍ତଙ୍କର ଅପେକ୍ଷା ରହିଛି ଗର୍ଭଗୃହରେ କିପରି ଭାବରେ ଭଗବାନଙ୍କ ପୂଜା ଭଲରେ ହେବ ଓ ଅପେକ୍ଷାରତ ଭକ୍ତ ପୁଣି ଥରେ ଭଗବାନଙ୍କୁ ଦର୍ଶନ କରିବେ।

ସମ୍ବନ୍ଧିତ ଖବର