ବନ୍ଦକୁ ସମର୍ଥନ କରିବନି ଟିଏମ୍‌ସି

୨୧ ଦଳର ସମର୍ଥନ ହାସଲ କରିଛୁ: କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଅହେତୁକ ଦରବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନକୁ ୨୧ ରାଜନୈତିକ ଦଳ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ପ୍ରମୁଖ ବିରୋଧୀ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏଥିରେ ସାମିଲ ହେବନାହିଁ ବୋଲି ଆଜି ସ୍ପଷ୍ଟ କରିଦେଇଛି। କୁହାଯାଉଛି ଯେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରବୃଦ୍ଧିକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛି। ରାଫେଲ୍‌ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବାରମ୍ବାର ଘେରୁଥିବା କଂଗ୍ରେସ ଏବେ ତୈଳ ଦରବୃଦ୍ଧିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରିଛି। ଏଥିପାଇଁ ସୋମବାର ଭାରତ ବନ୍ଦ ଡାକରା ଦେଇଛି। ଏମିତି କି ଅନ୍ୟ ସମସ୍ତ ବିରୋଧୀ ଦଳକୁ ମଧ୍ୟ ସମାଜର ହିତ ପାଇଁ ଏହି ବନ୍ଦରେ ସାମିଲ ହେବାକୁ ଦଳ ଆହ୍ଵାନ କରିଛି।

ଭାରତ ବନ୍ଦ ସଂପର୍କରେ ସୂଚନା ଦେଇ କଂଗ୍ରେସ ନେତା ଅଜୟ ମାକନ୍‌ କହିଛନ୍ତି, ପେଟ୍ରୋଲ୍‌ ଓ ଡିଜେଲ୍‌ ଦରବୃଦ୍ଧି ଏବେ ଉତ୍କଟ ହେଲାଣି। କିନ୍ତୁ ସରକାରଙ୍କ ପକ୍ଷରୁ ଏଯାବତ୍‌ କୌଣସି ହସ୍ତକ୍ଷେପ କରାଯାଇ ନାହିଁ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଖସିବାରେ ଲାଗିଛି। ଫଳରେ ଅଶୋଧିତ ତେଲ ଆମଦାନି ଉପରେ ଅଧିକ ଚାପ ପଡ଼ିଛି। ତେଣୁ ସରକାର ଶୀଘ୍ର ଏ ବାବଦରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏହି ଦାବି ରଖି କଂଗ୍ରେସ କାଲି ଦେଶବ୍ୟାପୀ ବନ୍ଦ ପାଳନ କରିବ। ଏଥିରେ ଦେଶର ୨୧ଟି ଦଳ ପକ୍ଷରୁ ସମର୍ଥନ ମିଳିବ ବୋଲି ମାକନ୍‌ ଆଶା ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସର ଭାରତ ବନ୍ଦକୁ ଡିଏମ୍‌କେ ଏବଂ ଏମ୍‌ଏନ୍‌ଏସ୍‌ ସମର୍ଥନ ଦେବେ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ସେହିଭଳି ବନ୍ଦରେ ସାମିଲ ହେବାକୁ ମାକନ୍‌ ଦେଶର ବ୍ୟବସାୟୀମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। କଂଗ୍ରେସର ଏହି ବନ୍ଦ ଡାକରାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାମିଲ ହେବନାହିଁ ବୋଲି ଆଜି ସ୍ପଷ୍ଟ କରିବା ପରେ କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଟିଏମ୍‌ସି ଭଳି ପ୍ରମୁଖ ବିରୋଧୀ ଦଳ ଏଥିରେ ସାମିଲ ହେବ ବୋଲି କଂଗ୍ରେସ ଆଶା ରଖିଥିଲା। କିନ୍ତୁ ଟିଏମ୍‌ସି ସେହି ଆଶାରେ ପାଣି ପକାଇଦେଇଛି। ଏ ପ୍ରସଙ୍ଗରେ ସୂଚନା ଦେଇ କଂଗ୍ରେସର ପଶ୍ଚିମବଙ୍ଗ ମୁଖ୍ୟ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଏଭଳି ଅହେତୁକ ମୂଲ୍ୟବୃଦ୍ଧିକୁ ଅର୍ଥନୈତିକ ବିପର୍ଯ୍ୟୟ ବୋଲି ବିବେଚନା କରାଯାଇ ପାରିବ। କିନ୍ତୁ ଇନ୍ଧନ ଉପରେ ଅତ୍ୟଧିକ ଭାଟ୍‌ ଲାଗୁ କରି ତୃଣମୂଳ କଂଗ୍ରେସ ମାମଲାକୁ ଅଧିକ ସଂଗିନ କରିଦେଇଛି। ଟିଏମ୍‌ସି ଦର୍ଶାଇଛି ଯେଉଁଥିପାଇଁ ବନ୍ଦ ପାଳନ କରାଯାଉଛି, ସେଥିରେ ଦଳ ସଂପୂର୍ଣ୍ଣ ଏକମତ। କିନ୍ତୁ ଏଥିପାଇଁ କୌଣସି ସାଧାରଣ ସେବା ବନ୍ଦ ହେଉ ବୋଲି ଦଳ ଚାହୁନାହିଁ। ଏନ୍‌ସିପି, ଏସ୍‌ପି, ଡିଏମ୍‌କେ, ଭଳି ଦଳ ବନ୍ଦକୁ ସମର୍ଥନ ଜଣାଇବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର