ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ମୁକ୍ତ ହେବେ ୭ ଦୋଷୀ!

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୭ ଜଣ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ତାମିଲନାଡୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କିନ୍ତୁ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହଥିବାରୁ ସେମାନଙ୍କୁ ମୁକ୍ତ କରିବାରେ ଅସୁବିଧା ରହିଛି ବୋଲି ଆଜି ତାମିଲନାଡୁ ଆଇନମନ୍ତ୍ରୀ ସି.ଭେ.ସନମୁଘମ ବିଧାନସଭାର ଏକ ଉତ୍ତରରେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ନୀତି ଅଧାରରେ ଏମାନଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୧୬ ମସିହାରେ ତାମିଲନାଡୁ ସରକାର ଏମାନଙ୍କୁ ମୁକ୍ତ କରିବା ଲାଗି ପ୍ରଚେଷ୍ଟା କରିଥିଲା। କିନ୍ତୁ ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ ଚଳିତବର୍ଷ ଜାନୁଆରି ୨୩ ତାରିଖରେ ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତ ଲୋଡିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ତାମିଲନାଡୁ ସରକାର ଏନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଆଇନମନ୍ତ୍ରୀ ସନମୁଘମ କହିଛନ୍ତି।

ସମ୍ବନ୍ଧିତ ଖବର