ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଣିକି ଟ୍ରେନ୍ରେ ଲାଗିବ ସୁରକ୍ଷା ସୁଇଚ୍, ଟ୍ରେନ୍ରେ ମୁତୟନ ହେବେ ମହିଳା ସୁରକ୍ଷା କର୍ମୀ
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରୁଥିବା ମହିଳା ଯାତ୍ରୀମାନଙ୍କ ଯାତ୍ରାକୁ ଅଧିକ ନିରାପଦ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳବିଭାଗ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଉଥିବା ଜାଣିବା ପାଇଁ ମିଳଛି। ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ଉତ୍ତର-ପୂର୍ବ ରେଳପଥ ପକ୍ଷରୁ ଟ୍ରେନ୍ର ପ୍ରତ୍ୟେକ ବଗିରେ ମହିଳା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ସୁରକ୍ଷା ସୁଇଚ୍ ବା ବଟନ୍ ଲଗାଯିବା ପାଇଁ ବ୍ୟବସ୍ଥା ହୋଇଛି। ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ମହିଳା ଯାତ୍ରୀ ଯଦି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି ବା ତାଙ୍କ ସୁୁରକ୍ଷା ପ୍ରତି କୌଣସି ପ୍ରକାରର ବିପଦ ସୃଷ୍ଟି ହୁଏ, ତେବେ ସେ କ୍ଷେତ୍ରରେ ଟ୍ରେନ୍ର ବଗିରେ ଲାଗିଥିବା ଏହି ସୁରକ୍ଷା ସୁଇଚ୍ ବା ବଟନ୍କୁ ଦବାଇଲେ ଟ୍ରେନ୍ର ଗାର୍ଡଙ୍କ ନିକଟରେ ଲାଗିଥିବା ଏକ ଘଣ୍ଟି ବାଜି ଉଠିବ ଏବଂ କେତେ ନମ୍ବର କୋଚ୍ର କେତେ ନମ୍ବର ସିଟ୍ର ଯାତ୍ରୀ ଏହି ବଟନ୍ ଦବାଇ ସହାୟତା ଲୋଡ଼ୁଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେବ। ଫଳରେ ଟ୍ରେନ୍ରେ ମୁତୟନ ଥିବା ସୁରକ୍ଷା କର୍ମୀ ଅବିଳମ୍ବେ ଯାଇ ସଂପୃକ୍ତ ଯାତ୍ରୀଙ୍କ ନିକଟରେ ପହଞ୍ଚିବା ସହ ତାଙ୍କୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସୁବିଧା ଯୋଗାଇ ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ମହିଳା ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଣିକି ଟ୍ରେନ୍ରେ ମହିଳା ସୁରକ୍ଷା କର୍ମୀଙ୍କୁ ମୁତୟନ କରିବା ପାଇଁ ମଧ୍ୟ ରେଳ ବିଭାଗ ନିଷ୍ପତ୍ତି ନେଇଛି। ସେଥିପାଇଁ ଏବେ ରେଲେଓ୍ଵ ପ୍ରୋଟେକସନ୍ ଫୋର୍ସର୍ରେ ମହିଳାମାନଙ୍କୁ ନିଯୁକ୍ତି ଦେବାପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ରାତ୍ରିକଳୀନ ସମୟରେ ଯାତାୟାତ କରୁଥିବା ସମସ୍ତ ଟ୍ରେନ୍ରେ ଏହି ବ୍ୟବସ୍ଥାର ପ୍ରଚଳନ କରାଯିବ ବୋଲି ଉତ୍ତର-ପୂର୍ବ ରେଳପଥ ଉତ୍ତର-ପୂର୍ବ ରେଳପଥର ଲୋକସଂପର୍କ ଅଧିକରୀ ସଞ୍ଜୟ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।