ବାହାଘର ଏଡ଼ାଇବା ପାଇଁ ସାଙ୍ଗ ଘରେ ୩ ଦିନ କବାଟରେ ତାଲା ପକାଇ ପଶିଥିଲେ ବାଜପେୟୀ

କାନପୁର: ଅଟଳ ପ୍ରତିଜ୍ଞା ଯୋଗୁଁ ଅଟଳବିହାରୀ ବାଜପେୟୀ ଅବିବାହିତ ରହିଥିଲେ। ବାପା ତାଙ୍କ ପାଇଁ ଝିଅ ଖୋଜୁଛନ୍ତି ବୋଲି ଜାଣିବା ପରେ ସେ ଜଣେ ସାଙ୍ଗ ଘରେ ପଶି ବାହାରୁ ତାଲା ପକାଇ ତିନି ଦିନ ରହିଥିଲେ। ଏ କଥା ଶୁକ୍ରବାର ଦିନ କହିଛନ୍ତି ତାଙ୍କ ବନ୍ଧୁ ଗୋରେ ଲାଲ୍‌ ତ୍ରିପାଠୀଙ୍କ ପୁଅ ବିଜୟ ପ୍ରକାଶ।

ଚାଳିଶି ଦଶକର ମଧ୍ୟ ଭାଗରେ ବାଜପେୟୀ କାନପୁର ଡିଏଭି କଲେଜରେ ସ୍ନାତକୋତ୍ତର ଛାତ୍ର ଥିବା ସମୟରେ ବାପାମଆ ତାଙ୍କ ବାହାଘର ସ୍ଥିର କରୁଥିବା ଜାଣି ସେ ପାଟରା ବ୍ଲକ୍‌ ଅନ୍ତର୍ଗତ ତ୍ରିପାଠୀଙ୍କ ରାୟପୁର ଗାଁକୁ ଚାଲିଆସିଥିଲେ। ଆର୍‌ଏସ୍‌ଏସ୍‌ ଶାଖାରେ ଯୋଗଦେବା ବେଳେ ଉଭୟ ସାଙ୍ଗ ହୋଇ ଯାଇଥିଲେ।

ବିଜୟ କହନ୍ତି: ବାପା ମତେ ବରାବର କହୁଥିଲେ, ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରିରେ ପଶି ଅଟଳଜୀ ୩ ଦିନ ଲୁଚି ରହିଥିଲେ। ନିଜେ କୋଠରିରେ ପଶି ମତେ ବାହାରୁ ତାଲା ପକାଇବାକୁ କହିଥିଲେ। ପାଣି, ଖାଦ୍ୟ ଓ ଝାଡ଼ା ପରିସ୍ରା ଯିବା ସମୟରେ ସେ କବାଟ ଠକ୍‌ଠକ୍‌ କରୁଥିଲେ।

କାହିଁକି ବାହା ହେଉନାହଁ ବୋଲି ସାଙ୍ଗ ଗୋରେ ଲାଲ୍‌ ପଚାରିବାରୁ ସେ ବାଜପେୟୀ କହିଥିଲେ କି, ଜୀବନକୁ ସେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ବିବାହ ସେଥିରେ ବାଧା ଦେବ। ସେତେବେଳେ ଅଟଳ ଆର୍‌ଏସ୍‌ଏସ୍‌ ସହ ନିବିଡ଼ ହୋଇ ଆସୁଥିଲେ।

ବିଜୟ ପ୍ରକାଶ କହନ୍ତି ବାପା ସବୁବେଳେ ତାଙ୍କ ସାଙ୍ଗ ଜୀବନର ଏଇ ଅଧ୍ୟାୟଟି କହନ୍ତି।

ଜାତୀୟ ରାଜନୈତିକ ନେତା ହେବା ପରେ ମଧ୍ୟ ବାଜପେୟୀ ତାଙ୍କ ବନ୍ଧୁଙ୍କ ପରିବାରକୁ ମନେରଖିଥିଲେ। ବିଜୟ କହନ୍ତି, ମୁଁ ତାଙ୍କୁ ୧୯୮୯ରେ ଲକ୍ଷ୍ନୌରେ ଭେଟିଥିଲି। ସେତେବେଳେ ସେ ରାଜ୍ୟସଭାରେ ବିରୋଧି ଦଳର ନେତା ଥିଲେ। ଚାକିରି ଖଣ୍ଡେ ପାଇଁ ସାହାଯ୍ୟ କରିବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି। ଯଦିବା ସେ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ, ତାଙ୍କରି ଉଦ୍ୟମ ବଳରେ ମୁଁ କାନପୁରର ଏକ ପତ୍ରିକାରେ ଚାକିରି ପାଇଥିଲି।

ବିଜୟ କହନ୍ତି, କାନପୁରବାସୀଙ୍କ ପାଇଁ ବାଜପେୟୀଙ୍କର ଥିଲା ଅଜସ୍ର ଶ୍ରଦ୍ଧା। ପୁରୁଣା ଚିହ୍ନାପରିଚିତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଉତ୍ସବ ଏବଂ ବିବାହ ଆଦିରେ ସେ ଉପସ୍ଥିତ ହେଉଥିଲେ।

ସମ୍ବନ୍ଧିତ ଖବର