ରୁଷ୍‌-ଇରାନ୍‌ ସହ ଚୁକ୍ତିରୁ ଓହରିବ ନାହିଁ ଭାରତ

୨+୨ ଆଲୋଚନା ଆଜି

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଆସନ୍ତାକାଲି ବହୁ ପ୍ରତୀକ୍ଷିତ ୨+୨ ଆଲୋଚନା ଅନୁଷ୍ଠିତ ହେବ। ନୂଆଦିଲ୍ଲୀରେ ଏହି ବୈଠକ ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଥିବା ବେଳେ ଭାରତ ଆମେରିକାକୁ ରଣନୀତିକ ସୁସଂପର୍କ ବଜାୟ ରଖିବାକୁ ଚେତାଇ ଦେଇଛି। ରୁଷ୍‌୍‌ଠାରୁ ଏସ୍‌୍‌-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ହାସଲ କରିବା ପାଇଁ ଭାରତ ଚଳାଇଥିବା ପ୍ରକ୍ରିୟା ଯଥାରୀତି ସଂପୂର୍ଣ୍ଣ ହେବ ଏବଂ ଇରାନ୍‌ ସହ ମଧ୍ୟ କୌଣସି ପୂର୍ବ ବାଣିଜ୍ୟିକ ଚୁକ୍ତିରେ ଆଦୌ ପରିବର୍ତ୍ତନ ହେବନାହିଁ ବୋଲି ଭାରତ ସ୍ପଷ୍ଟ କରିଛି। ଏହି ପ୍ରସଙ୍ଗରେ ଅନ୍ୟ କୌଣସି ବାହ୍ୟ କଟକଣାକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି। ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ରୁଷ୍‌ଠାରୁ ନ କିଣିବା ପାଇଁ ଆମେରିକାର ଚାପ ଏବଂ କଟକଣା ଲାଗୁ ଚେତାବନୀ ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାରତ କହିଛି। ଆମେରିକା ଭାରତ ସହ ଏହାର ସୁଦୃଢ଼ ସାମରିକ ଓ ରଣନୀତିକ ସଂପର୍କକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆମେରିକାକୁ ଜଣାଇ ଦିଆଯାଇଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍‌ ମାଟିସ୍‌, ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶୀ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ୨+୨ ଆଲୋଚନାରେ ଆସନ୍ତାକାଲି ଦିଲ୍ଲୀରେ ମିଳିତ ହେବେ।
ଏହି ବହୁ ପ୍ରତୀକ୍ଷିତ ୨+୨ ଆଲୋଚନା ଚଳିତ ବର୍ଷ ବିଭିନ୍ନ କାରଣରୁ ୨ ଥର ରଦ୍ଦ ହୋଇସାରିଛି। ତେଣୁ ଗୁରୁବାର ବୈଠକ ଉପରେ ପୂରା ବିଶ୍ୱର ନଜର ରହିଛି । ଏହି ବୈଠକରେ ଭାରତ ତା’ର ଅନ୍ତର୍ଜାତୀୟ ସାମରିକ ଓ କୂଟନୈତିକ ଦୃଷ୍ଟିକୋଣକୁ ସ୍ପଷ୍ଟ କରିବ । ଆମେରିକା ଏବେ ରୁଷ୍‌ ବିରୋଧରେ ବିଭିନ୍ନ ଆର୍ଥିକ ଓ ସାମରିକ କଟକଣା ଲାଗୁ କରିଛି ଏବଂ ରୁଷ୍‌ ସହ ସାମରିକ କାରବାର କରୁଥିବା ରାଷ୍ଟ୍ରଙ୍କ ବିରୋଧରେ ମଧ୍ୟ ଏହା ଲାଗୁ ହେବ ବୋଲି ଚେତାବନୀ ଦେଇଛି। ତେବେ ଭାରତ ଆମେରିକା ସହ ସୁଦୃଢ଼ ରଣନୀତିକ ସଂପର୍କରେ ଥିବାରୁ ଆମେରିକା ଏ କ୍ଷେତ୍ରରେ ଭିନ୍ନ ନୀତି ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର