ନୂଆଦିଲ୍ଲୀ: ଭାରତର ସର୍ବାଧିକ ମହତ୍ବାକାଂକ୍ଷୀ ମହକାଶ ଅଭିଯାନ ‘ଚନ୍ଦ୍ରଯାନ-୨’ ପ୍ରକ୍ଷେପଣ ସୋମବାର କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍ଠାକ୍ ରହିଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ଆସନ୍ତାକାଲି ଅପରାହ୍ନ ୨ଟା ୪୩ ମିନିଟ୍ରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ ହେବ। ଜିଏସ୍ଏଲ୍ଭି ଏମ୍କେ-୩ ରକେଟ୍ରେ କେତେକ ବୈଷୟିକ ତ୍ରୁଟି ଯୋଗୁଁ ୧୫ ଜୁଲାଇରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ଅଟକାଇ ଦିଆଯାଇଥିଲା ରକେଟ୍ରେ ଥିବା ତ୍ରୁଟି ସୁଧାରିବା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭାରତ ନିଜର ପ୍ରଥମ ଚନ୍ଦ୍ର ଅବତରଣ ମିସନ୍କୁ ସଫଳ କରିବା ପାଇଁ ଏବେ ସବୁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ବେଳେ ଆସନ୍ତାକାଲି ଏହା ମହକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆନ୍ଧ୍ରପ୍ରଦେଶ, ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ଦ୍ବିତୀୟ ମାନବବିହୀନ ମିସନ୍ ‘ଚନ୍ଦ୍ରଯାନ-୨’ ଉତ୍କ୍ଷେପଣ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକ୍ଷେପଣ ଦେଖିବା ପାଇଁ ଆଜି ଶ୍ରୀହରିକୋଟାରେ ପହଞ୍ଚିଛନ୍ତି। ପ୍ରକ୍ଷେପଣର ୧୬ ମିନିଟ୍ ପରେ ଚନ୍ଦ୍ରଯାନ ୨ ତା’ର କକ୍ଷପଥରେ ସ୍ଥାପିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ରିହର୍ସଲ ସଂପୂର୍ଣ୍ଣ, ସବୁକିଛି ଠିକ୍ଠାକ୍: ଇସ୍ରୋ
ଅପରାହ୍ନ ୨ଟା ୪୩ରେ ପ୍ରକ୍ଷେପଣ
ପ୍ରକ୍ଷେପଣ ଦେଖିବେ ରାଷ୍ଟ୍ରପତି
‘ଚନ୍ଦ୍ରଯାନ-୨’ ମହାକାଶ ଯାନର ଓଜନ ୩.୮ ଟନ୍। ଏହା ସମୁଦାୟ ୯୭୮ କୋଟି ଟଙ୍କାର ପ୍ରକଳ୍ପ। ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍ଭି ଏମ୍କେ-୩’ ରକେଟ୍ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର୍ ନାମ ‘ବିକ୍ରମ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ପ୍ରକ୍ଷେପଣର ୫୪ ଦିନ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍ ଜାରି ରଖିବ। ଏହି ମିସନ୍ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ୍ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ମଧ୍ୟ ଏହି ମିସନ୍ ଅଧ୍ୟୟନ କରିବ।
ଜିଏସ୍ଏଲ୍ଭି ଏମ୍କେ-୩ ‘ବାହୁବଳୀ’ ରକେଟ୍ ୩.୮ ଟନ୍ର ଚନ୍ଦ୍ରଯାନକୁ ବହନ କରିବ। ଚନ୍ଦ୍ରଯାନ-୨ରେ ଖଂଜା ଯାଇଥିବା ‘ପେଲୋଡ’ ଗୁଡ଼ିକ ଚନ୍ଦ୍ରର ଗଠନ ଏବଂ ପୃଥିବୀ ସହ ଏହା କିଭଳି ଜଡ଼ିତ ତାହା ବୁଝାଇବାରେ ସହାୟକ ହେବ। ଏହାବାଦ୍ ଚନ୍ଦ୍ରପୃଷ୍ଠରେ ବରଫ ପାଲଟି ଯାଇଥିବା ଜଳ ସନ୍ଧାନର ଲକ୍ଷ୍ୟ ମଧ୍ୟ ଏହି ମିସନ୍ର ଅନ୍ତର୍ଭୁକ୍ତ। ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବ। ୨୦୦୮ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଯାନ-୧ ଉତ୍କ୍ଷେପଣ ହୋଇଥିଲା। ଭାରତର ପ୍ରଥମ ମାନବବିହୀନ ଚନ୍ଦ୍ର ଅଭିଯାନ ପାଇଁ ୫୪୧ କୋଟି ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଥିବା ସ୍ପଷ୍ଟ କରିଥିଲା।