ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଅହମଦାବାଦ, ଆଗ୍ରା ଗସ୍ତ ସରିଲା; ଆଜି ଦିଲ୍ଲୀରେ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ସପରିବାର ଭାରତ ଗସ୍ତରେ ଆସିଛନ୍ତି। ସେ ଆଜି ପ୍ରଥମେ ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସକାଳ ପ୍ରାୟ ୧୧ଟା ୪୦ରେ ପହଞ୍ଚିଥିଲେ। ସେ ବିମାନରୁ ଅବତରଣ କରିବା ପରେ ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ। ବିମାନରୁ ଓହ୍ଲାଇବା ପରେ ଟ୍ରମ୍ପ ତାଙ୍କ ବିଷ୍ଟ ଗାଡ଼ିରେ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଅଭି‌ମୁଖେ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ ଗାନ୍ଧୀଙ୍କ ଜୀବନୀ ଏବଂ ଶିକ୍ଷା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଆଶ୍ରମରେ ଚରଖାରେ ସୂତା କାଟିଥିଲେ। ଏହାପରେ ଦର୍ଶକ ପୁସ୍ତିକାରେ ସେ ତାଙ୍କ ମନ୍ତବ୍ୟ‌ ଲେଖିଥିଲେ। ଗାନ୍ଧୀ ଆଶ୍ରମରେ ସେ ପ୍ରାୟ ୨୦ ମିନିଟ ବିତାଇଥିଲେ। ଗାନ୍ଧୀ ଆଶ୍ରମରୁ ସେ ମୋଟେରା ଷ୍ଟାଡ଼ିୟମକୁ ୨୨ କିମି ‌ରୋଡ୍‌ ସୋ’ରେ ଯାଇଥିଲେ। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଠାରେ ଉଭୟ ଟ୍ରମ୍ପ ଏବଂ ମୋଦୀ ଉଦବୋଧନ ଦେଇଥିଲେ। ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପରେ ଟ୍ରମ୍ପ ଆଗ୍ରା ଅଭିମୁଖେ ଯାଇ ତାଜମହଲ ଦେଖିଥିଲେ। ସେଠାରେ ସୂର୍ଯ୍ୟାସ୍ତର ଶୋଭା ଉପ‌ଭୋଗ କରିବା ପରେ ଦିଲ୍ଲୀରେ ପହଞ୍ଚିଯାଇଛନ୍ତି। ଦିଲ୍ଲୀରେ ସୋମବାର ରାତିରେ ‌ଆଇଟିସି ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ ରହିଛନ୍ତି।

ମଙ୍ଗଳବାର ସକାଳ ୧୦ଟା ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକଭାବେ ସ୍ବାଗତ କରାଯିବ। ଏହାପରେ ଟ୍ରମ୍ପ ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବେ। ଦିନ ୧୧ଟା ବେଳେ ହାଇଦ୍ରାବାଦ ହାଉସରେ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ‌ଆଲୋଚନା ହେବ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୫ଟି ରାଜିନାମା ସ୍ବାକ୍ଷର ହେବା ସମ୍ଭାବନା ରହିଛି। ଶକ୍ତି, ତୈଳ ଏବଂ ଗ୍ୟାସ, ବୌଦ୍ଧିକ ସମ୍ପତ୍ତି ଏବଂ ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ଏସବୁ ରାଜିନାମା ହେବ।

ସମ୍ବନ୍ଧିତ ଖବର