ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବ। ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ଏହି ମତଦାନ ହେଉଥିବା ବେଳେ ଏଥିରେ ମୋଟ ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଓଡ଼ିଶା ସମେତ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‌ରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ହେବ ।
ଅରୁଣାଚଳ, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମ୍‌ର ସମସ୍ତ ଆସନରେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ହ‌ିଁ ବିଧାନସଭା ନିର୍ବାଚନ ସରିବ। ଅନ୍ୟପକ୍ଷରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ଆସନରେ ଆସନ୍ତାକାଲି ନିର୍ବାଚନ ହେବ ଏବଂ ଅରୁଣାଚଳ‌ରେ ୬୦ ଟି ଆସନ ଏବଂ ସିକ୍କିମ୍‌ର ସମସ୍ତ ୩୨ଟି ଆସନରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ସରିବ। ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୮ ଲୋକସଭା ଆସନ, ବିହାରର ୪ଟି ଆସନ, ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ଟି ଆସନ ଏବଂ ତେଲେଙ୍ଗାନର ସମସ୍ତ ୧୭ ଆସନରେ ମତଦାନ ହେବ। ଉତ୍ତର ପ୍ରଦେଶର ୮ଟି ଆସନରେ ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଏବଂ ବିହାରର ୪ଟି ଆସନରେ ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ପାଇଁ ସମୟ ସୀମା ଧର୍ଯ୍ୟ ହୋଇଛି। ସମସ୍ତ ଆସନରେ ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସମ୍ବେଦନଶୀଳ ଓ ଅତୀବ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି। ୯୧ରୁ ୩୭ଟି ଆସନକୁ ରେଡ୍‌ ଆଲର୍ଟ ନିର୍ବାଚନ ମଣ୍ଡଳୀ ଘୋଷଣା କରାଯାଇଛି। ୯୧ଟି ଲୋକସଭା ଆସନରେ ମୋଟ ୧୪୨୦୫୪୯୭୮ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟ ୭୨୧୫୩୨୪୪ ରହିଥିବା ବେଳେ ୬୯୮୦୫୩୭୦ ଜଣ ମହିଳା ଭୋଟର୍‌ ଅଛନ୍ତି।

ସମ୍ବନ୍ଧିତ ଖବର